ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁପି ଆଲିଗଡ ଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ବବିଦ୍ୟାଳୟ (ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ ଟା ସମୟରେ ଏହି ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ପଡିବ । ପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ଏହାସହ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।
ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ବବିଦ୍ୟାଳୟ...
ରାଜା ମହେନ୍ଦ୍ର ପ୍ରତାପ ସିଂହ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ଶିକ୍ଷାବିତ ଓ ସମାଜ ସଂସ୍କାରକ ଥିଲେ । ତାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ସରକାର ଆଲିଗଡରେ ଏକ ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଆଲିଗଡର କୋଲ ତହସିଲ ଅନ୍ତର୍ଗତ ଲୋଧା ଓ ମୁସେପୁର କରିମ ଜିରୋଲି ଗାଁରେ ୯୨ ଏକର ଜମି ଉପରେ ଏହି ବିଶ୍ବବିଦ୍ୟାଳୟ ନିର୍ମିତ ହେବ । ଅଲିଗଡ ଡିଭିଜନରେ ଥିବା ୩୯୫ କଲେଜ ଏହି ନୂଆ ବିଶ୍ବବିଦ୍ୟାଳୟ ସହିତ ସହବନ୍ଧିତ ହେବେ ।
ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର...
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉତ୍ତରପ୍ରଦେଶରେ ଏକ ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣର ଯୋଜନା ୨୦୧୮ ଫେବୃୟାରୀ ୨୧ରେ ଘୋଷଣା କରାଯାଇଥିଲା । ୟୁପି ଇନଭେଷ୍ଟମେଣ୍ଟ ସମିଟ ଅବସରରେ ପ୍ରଧାନମନ୍ତ୍ରୀ ଏହ କରିଡର ନିର୍ମାଣ ଯୋଜନା ଘୋଷଣା କରିଥିଲେ । ଏଥିରେ ମୋଟ ୬ ଟି ନୋଡ ବା ଖଣ୍ଡ ରହିଛି । ସେଗୁଡିକ ହେଲା ଆଲିଗଡ, ଆଗ୍ରା, କାନପୁର, ଚିତ୍ରକୁଟ, ଝାନ୍ସି ଓ ଲକ୍ଷ୍ନୌ ।
ଆଲିଗଡ ଖଣ୍ଡରେ ଏଥିପାଇଁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି । ମୋଟ ୧୯ ଟି ଉଦ୍ୟୋଗକୁ ଏଥିପାଇଁ ଜମି ଯୋଗାଇ ଦିଆଯିବ। ସେମାନେ ଏହି ଉଦ୍ୟୋଗରେ ମୋଟ ୧୨୪୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଉତ୍ତରପ୍ରଦେଶର ଏହି ପ୍ରତିରକ୍ଷା ଉଦ୍ୟୋଗ କରିଡର ଦେଶକୁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଆତ୍ମନିର୍ଭର କରାଇବ । ଏହା ମଧ୍ୟ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ।
କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
@ANI