ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତା ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଭିତ୍ତିପ୍ରସ୍ତର ସ୍ଥାପନ ସହ ଭୂମିପୂଜନରେ ମଧ୍ୟ କରିବେ ମୋଦି । 971 କୋଟି ଟଙ୍କା ବ୍ୟୟ ବରାଦରେ ହେଉଥିବା ଏହି ସଂସଦ ଭବନ 2022 ସୁଦ୍ଧା ସମାପ୍ତ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ଲୋକସଭା ବର୍ତ୍ତମାନ ଠାରୁ ଆକାରରେ ତିନି ଗୁଣ ହେବ ଏବଂ ରାଜ୍ୟସଭା ବହୁଗୁଣିତ ହେବ ବୋଲି ଜଣାପଡିଛି । ପାଖାପାଖି 64,500 ବର୍ଗ ମିଟର ଅଞ୍ଚଳରେ ଏହି ନୂଆ ଭବନ ହେବ ବୋଲି ସୂଚନା ରହିଛି ।
ତେବେ ଏହି କାର୍ଯ୍ୟକ୍ରମରେ କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ଚୁଆଲରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଆଜି ଦିନ 12.55ରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଦିନ 1ଟାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । 1.30ରେ ସର୍ବଧର୍ମ ପ୍ରାର୍ଥନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ସେହିପରି ଦିନ 2.15ରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ବୋଲି କୁହାଯାଇଛି ।
ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନ ଉପରେ ନିଜର ମନ୍ତବ୍ୟ ଦେଇ ସେ କହିଛନ୍ତି, ‘ଗଣତନ୍ତ୍ରର ମନ୍ଦିରକୁ 100 ବର୍ଷ ପୂରୁଛି । ଆଉ ଏହି ଉପଲକ୍ଷେ ଆମ ଦେଶର ଲୋକମାନେ ହିଁ ଏହି ନୂଆ ଗଣତନ୍ତ୍ର ମନ୍ଦିର ତିଆରି କରିବେ ଯାହା ଆତ୍ମନିର୍ଭର ଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ।’
ସେହିପରି ନୂଆ ଭବନରେ ଭାରତ ସଂସ୍କୃତି ଓ ପରମ୍ପରା ରହିବା ସହ ଏହା ଦେଶର 75 ତମ ସ୍ବାଧୀନତା ଦିବସ ଅବସରରେ 2022 ମସିହାରେ ଉଦଘାଟନ ହେବ ବୋଲି ଆଶା କରାଯାଉଛି । ସେହି ବର୍ଷ ହିଁ ସଂସଦ ନୂଆ ଭବନରେ ବସିବ ବୋଲି ଆଶା ରହିଥିବା ଓମ୍ ବିର୍ଲା କହିଥିଲେ ।
ନୂଆ ସଂସଦ ଭବନରେ ଲୋକସଭା ପାଇଁ 888 ସାଂସଦଙ୍କ ବସିବାର କ୍ଷମତା ରହିବ । ରାଜ୍ୟସଭାରେ 384 ଜଣ ବସିବାର କ୍ଷମତା ରଖାଯିବ । ସେହିପରି ମିଳିତ ଅଧିବେଶନ ପାଇଁ ଲୋକସଭା ଚାମ୍ବରରେ 1224 ଜଣ ସଭ୍ୟ ବସିବାକୁ କ୍ଷମତା ରଖାଯିବାର ପ୍ରସ୍ତାବ ରହିଛି ।
ତେବେ ବର୍ତ୍ତମାନ ଥିବା ସଂସଦ ଭବନ ବ୍ରିଟିଶ୍ କାଳରୁ ହୋଇଥିବାବେଳେ ଏଡ୍ୟୁନ୍ ଲ୍ୟୁଟିନ୍ସ ଓ ହରବର୍ଟ ବକେରଙ୍କ ଯୋଜନାରେ ଏହା ହୋଇଥିଲା । 1921 ମସିହା ଫେବୃଆରୀ 12 ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବାବେଳେ ନିର୍ମାଣ ପାଇଁ 6 ବର୍ଷ ସମୟ ଲାଗିଥିଲା । ନିର୍ମାଣରେ ମୋଟ 83 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । 1927 ମସିହା ଜାନୁଆରୀ 18 ତାରିଖରେ ସଂସଦ ଭବନର ଉଦଘାଟନ ହୋଇଥିଲା ।
ସୂଚନାଥାଉକି, ବର୍ତ୍ତମାନ ଲୋକସଭାରେ 543 ଓ ରାଜ୍ୟସଭାରେ 245 ଜଣ ସଦସ୍ୟ ରହିଛନ୍ତି । ଯାହା ଆଗାମୀ ଦିନରେ ବୃଦ୍ଧି ପାଇବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନର ପରିକଳ୍ପନା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ