ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ଅନ୍ୟ 12 ଜଣ ପ୍ରତିରକ୍ଷା ସଦସ୍ୟଙ୍କ ପାର୍ଥିବ ଶରୀର ତାମିଲନାଡୁର ସୁଲୁରରୁ ଆସି ଦିଲ୍ଲୀରେ ପହଞ୍ଚିଛି ।
ସନ୍ଧ୍ୟାରେ ତାମିଲନାଡୁରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ସମସ୍ତଙ୍କ ପାର୍ଥିବ ଶରୀର ନୂଆ ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ପହଞ୍ଚିଛି । ସେଠାରେ ପାର୍ଥିବ ଶରୀର ପହଞ୍ଚିବା ପରେ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଶେଷ ଦର୍ଶନ କରିଥିଲେ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳସେନା ମୁଖ୍ୟ ମେଜର ଜେନେରାଲ ନରଓ୍ବାଣେ, ବାୟୁସେନା ମୁଖ୍ୟ ଏୟାର ମାର୍ସଲ ବି.ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ପ୍ରମୁଖ ଶେଷ ସମ୍ମାନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସିଡିଏସ ଜେନେରାଲ ରାଓ୍ବତଙ୍କ ପରିବାର ବର୍ଗ ସମେତ ଅନ୍ୟ କିଛି ପ୍ରାଣ ହରାଇଥିବା ସେନାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ସହ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀଙ୍କ ବ୍ୟତୀତ ବହୁ ଉଚ୍ଚପଦସ୍ତ 3ସେନାର ଅଧିକାରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆସନ୍ତାକାଲି ସାମରିକ ମର୍ଯ୍ୟାଦା ସହ ଶେଷକୃତ୍ୟ ଶେଷ ହେବା ନେଇ ପୂର୍ବରୁ ଲୋକସଭାରେ ବିବୃତ୍ତି ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ଜେନେରାଲ ରାଓ୍ବତଙ୍କ ଦେହାନ୍ତରେ ଦେଶ ସ୍ତବ୍ଧ ହୋଇଯିବା ସହ ବିଦେଶ ଓ ପଡୋଶୀ ଦେଶରୁ ମଧ୍ୟ ଶୋକବାର୍ତ୍ତା ଆସିଛି । ଆମେରିକା, ଋଷ, ଚୀନ୍ ଏବଂ ପାକିସ୍ତାନ ଏପରି ଦୁଖଦଃ ଘଟଣାରେ ଶୋକବ୍ୟକ୍ତ କରିବା ସହ ଏପରି ଦୁଖଃଦ ସମୟରେ ଭାରତକୁ ସମବେଦନା ଜଣାଇଛନ୍ତି ।
ଜେନେରାଲ ରାୱତ ପୂର୍ବରୁ ମଧ୍ୟ ଏକ ସେନା ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇସାରିଥବା ବେଳେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ଏକ ହେଲିକପ୍ଟର 6ବର୍ଷ ପୂର୍ବେ ଅର୍ଥାତ 2015ରେ ସେ ସ୍ଥଳସେନାରେ ଲେଫ୍ଟନାଣ୍ଟ ଜେନେରାଲ ଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ