ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ଦିଲ୍ଲୀରେ ଆଦି ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ମୋଦି ଆଦି ମହୋତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀଙ୍କ ପର୍ବ ହେଉଛି ଆଦି ମହୋତ୍ସବ ।
ଦେଶରେ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତେବେ ଆଦି ମହୋତ୍ସବରେ ଆଦିବାସୀମାନଙ୍କର କଳା, ସଂସ୍କୃତି, ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ଆଦିବାସୀ ସମବାୟ ମାର୍କେଟିଂ ଫେଡେରେସନ ଲିମିଟେଡ ତରଫରୁ ଆୟୋଜନ କରାଯାଉଛି ।
ତେବେ ଚଳିତବର୍ଷ ଏହି ଆଦି ମହୋତ୍ସବ ଦିଲ୍ଲୀର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଆସନ୍ତା ୧୬ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟରେ ମୋଦି ଏହି ମହୋତ୍ସବକୁ ଉଦଘାଟନ କରିବେ ।
ଏହି ମହୋତ୍ସବରେ ସାରା ଦେଶରୁ ୨୦୦ଟି ଷ୍ଟଲ ଲାଗିବା ନେଇ ପ୍ରସ୍ତୁତି କରାଯାଇଥିବା ବେଳେ ଏହା ଆଦିବାସୀଙ୍କ ଐତିହ୍ୟ ତଥା ସମୃଦ୍ଧିକୁ ପ୍ରଦର୍ଶିତ କରିବ । ଏହାସହ ୧୦୦୦ ଆଦିବାସୀ କାରିଗର ଭାଗ ନେବେ ବୋଲି ଜଣାପଡିଛି ।
ସାରା ବିଶ୍ବରେ ମିଲେଟକୁ ନେଇ ଚର୍ଚ୍ଚା ରହିଛି । ତେବେ ଚଳିତ ବର୍ଷ ଆନ୍ତର୍ଜାତିକ ମିଲେଟ ଦିବସ ପାଳନ କରାଯିବ । ଏହାସହ ଆଦିବାସୀମାନଙ୍କ ହସ୍ତଶିଳ୍ପ, ବୟନଶିଳ୍ପ ଏବଂ ଆଦିବାସୀଙ୍କ ଗହଣାକୁ ମଧ୍ୟ ଷ୍ଟଲ ଲାଗିବ । ତେବେ ମିଲେଟରୁ ତିଆରି ଖାଦ୍ୟକୁ ଅଧିକ ଫୋକସ କରାଯିବ । ରାଗି ହାଲୱା, କୋଡୋ ଖେର, ମାଣ୍ଡିଆ ସୁପ୍, ରାଗି ବରା, ବାଜରା ରୁଟି, ବାଜରା ଚୁର୍ମା, ୱା ରୁଟି, ଝାଲମୁଡି, କାଶ୍ମୀରୀ ରାଇତା ଏବଂ କବାବର ସ୍ବାଦ ଚାଖିପାରିବେ ପର୍ଯ୍ୟଟକ ।
ତେବେ ଆଦି ମହୋତ୍ସବରେ ଆଦିବାସୀଙ୍କ ଦ୍ବାରା ଅଭିବୃଦ୍ଧି ହୋଇଥିବା ଶ୍ରୀଅନ୍ନକୁ ଅଧିକା ଫୋକସ କରାଯିବ । ୧୩ଟି ରାଜ୍ୟର ରୋଷେୟାମାନେ ଏହି ମହୋତ୍ସବରେ ସାମିଲ ହେବେ । ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, ଜାମ୍ମୁ କାଶ୍ମୀରର ଆଦିବାସୀମାନେ ଏଥିରେ ଯୋଗ ଦେବା ନେଇ ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନରେ BBC ଅଫିସରେ ଆୟକର ବିଭାଗ ରେଡ ଜାରି, ଯାଞ୍ଚ କାରଣ ଅସ୍ପଷ୍ଟ