ନୂଆଦିଲ୍ଲୀ: ଆଜି ସେଞ୍ଚୁରୀ ମାରିବ ମନ୍ କି ବାତ୍ । 100 ଏପିସୋଡ ପୂରଣ କରିବାକୁ ଯାଉଛି ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କାର୍ଯ୍ୟକ୍ରମର 100ତମ ସଂସ୍କରଣ ଆଜି ପ୍ରସାରିତ ହେବ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଦେଶବାସୀ ଶୁଣିଥାନ୍ତି । 100ତମ ସଂସ୍କରଣ ହୋଇଥିବାରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଜାତିସଂଘ ମୁଖ୍ୟାଳୟରେ ପ୍ରସାରିତ ହେବ: ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ମନ୍ କି ବାତର ସିଧାପ୍ରସାରଣ ହେବ । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମୁଖ୍ୟାଳୟ ଟ୍ରଷ୍ଟିସିପ କାଉନସିଲ ଚାମ୍ବରରେ ଏହା ଶୁଣାଯିବ । ଜାତିସଂଘରୁ ମନ୍ କି ବାତର 100ତମ ଏପିସୋଡ ସିଧାପ୍ରସାରଣ ଐତିହାସିକ ହେବ । ଏହି କାର୍ଯ୍ୟକ୍ରମ ଏକ ପରମ୍ପରା ସମାନ ହୋଇଛି । ପ୍ରତି ମାସ ଶେଷ ରବିବାର ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ଚାତକ ପରି ଲୋକ ଚାହିଁ ବସିଥାନ୍ତି । 2014ରୁ ଅକ୍ଟୋବର 3ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସେଞ୍ଚୁରୀ ମାରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର 100ତମ ସଂସ୍କରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ୍ ଶୁଭେଚ୍ଛା ଜଣାଇଛନ୍ତି । ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଓ ନିରନ୍ତର ବିକାଶ ଲକ୍ଷ୍ୟ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପକାଇଛି ବୋଲି ଟ୍ବିଟ କରି କହିଛନ୍ତି ବିଲ ଗେଟସ ।
ରେଡିଓରେ ପ୍ରସାରିତ ହେବାକୁ ଥିବା 100ତମ ଏପିସୋଡକୁ ନିଆରା କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ବର ରାଜଭବନ ପରିସରରେ ସ୍ବତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା ହୋଇଛି । ପ୍ରସାର ଭାରତୀ ଓ ପିଆଇବି ପକ୍ଷରୁ ପ୍ରସାରିତ ଏକି କାର୍ଯ୍ୟକ୍ରମରେ ମୁ୍ଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟତା ରହିଛି । ଗତ ମାସ 26 ତାରିଖରେ ମନ୍ କି ବାତ୍ 99ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବିଷୟରେ କହିଥିଲେ । ଦେଶର ବିକାଶରେ ନାରୀଶକ୍ତି କିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି ସେ ନେଇ ଆଲୋଚନା କରିଥିଲେ । ଓଡିଶାର ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜ୍ୟୋର୍ତିମୟୀଙ୍କୁ IUPAD ପୁରସ୍କାର ମିଳିଥିଲା ।
ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯାହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । 2014 ଅକ୍ଟୋବର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ଦୂରଦର୍ଶନ ଓ ଏହା ସହିତ ଜଡିତ ସମସ୍ତ ନେଟୱାର୍କରେ ଏହାର ସିଧାପ୍ରସାରଣ ହେବ । ପାଖାପାଖି 23କୋଟି ନିୟମିତ ଶ୍ରୋତା ରହିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କୁ ପ୍ରେରଣା ଦେଇଛି ।