କୋଲକାତା: ଭାରତ ମାତା କି ଜୟ ନାରା ସହିତ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡ୍ରୁ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ନିଶ୍ଚୟ ସରକାର ଗଠନ କରିବ ବୋଲି ଜୋର ଦେଇଛନ୍ତି ମୋଦି । କେବଳ ସୁନାର ବଙ୍ଗଳା ନୁହେଁ ଅସଲ ପରିବର୍ତ୍ତନର ପ୍ରତିଶ୍ରୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ଜୀବନରେ ଅନେକ ରାଲିକୁ ସମ୍ବୋଧିତ କରିବାର ସୁଯୋଗ ମିଳିଛି । ହେଲେ ଲମ୍ବା କାର୍ଯ୍ୟକାଳ ମଧ୍ୟରେ କେବେବି ଏତେ ବଡ ବିଶାଳ ଜନସମୁହଙ୍କ ଆଶୀର୍ବାଦ ମିଳିଥିବାର ଦୃଶ୍ୟ କେବେ ଦେଖିନାହିଁ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବଙ୍ଗର ମାଟି ସରକାରଙ୍କୁ ଉର୍ଜା ଦେଇଛି । ଏହି ମାଟି ସ୍ବାଧିନତାର ଆନ୍ଦୋଳନରେ ନୂଆ ପ୍ରାଣ ଉଦଜୀବୀତ କରିଥିଲା । ବଙ୍ଗଳାର ଲୋକେ ଜ୍ଞାନ ବିଜ୍ଞାନରେ ଭାରତର ଗୌରବ ବଢାଇଛନ୍ତି । ଏଠାରୁ ବାହାରିଥିବା ମହାନ ଲୋକେ ଏକ ଭାରତ ଶ୍ରେଷ୍ଠ ଭାରତକୁ ସତ୍ୟତାରେ ପରିଣତ କରିଛନ୍ତି ।
ପିଏମ ମୋଦି କହିଛନ୍ତି, ଏଥର ନିର୍ବାଚନରେ ଗୋଟିଏ ପକ୍ଷେ ଟିଏମସି, ବାମଦଳ ଓ କଂଗ୍ରେସ ଥିବା ବେଳେ ଅନ୍ୟପକ୍ଷେ ବଙ୍ଗଳାର ଜନସାଧାରଣ ନିଜେ ଛିଡା ହୋଇଛନ୍ତି । ଆଜି ବିଜେପିକୁ ଆଶୀର୍ବାଦ ଦେବା ପାଇଁ ଲକ୍ଷ ଲକ୍ଷ ଜନସାଧାରଣ ଏଠାକୁ ଆସିବା ଏହି ସଙ୍କେତ ଦେଉଛି ଯେ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଆମ ବଙ୍ଗ ବିକାଶର ନୁଆ ଉଚ୍ଚତା ଛୁଇଁବ ।
ସେହିପରି ବ୍ରିଗେଡ ଗ୍ରାଉଣ୍ଡରୁ ରାଜ୍ୟର ଜନସାଧାରଣଙ୍କୁ 'ଅସୋଲ ପରିବର୍ତ୍ତୋନ'(ଅସଲ ପରିବର୍ତ୍ତନ)ର ପ୍ରତିଶ୍ରୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବଙ୍ଗର ବିକାଶ, ନୀତିରେ ପରିବର୍ତ୍ତନ, ନିବେଶ ବୃଦ୍ଧି, ସଂସ୍କୃତି ଏହାର ପରମ୍ପରାର ସୁରକ୍ଷାର ବିଶ୍ବାସ ଦେଇଛନ୍ତି ମୋଦି । ଅସଲ ପରିବର୍ତ୍ତନର ମନ୍ତ୍ର ଏହାର ପ୍ରେରଣ ଓ ପରିଶ୍ରମର ଆଧାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଅସଲ ପରିବର୍ତ୍ତନର ଅର୍ଥ ଏପରି ବଙ୍ଗ ଯେଉଁଠି ଯୁବପୀଢିଙ୍କୁ ଶିକ୍ଷା ଓ ରୋଜଗାରର ପର୍ଯ୍ୟାପ୍ତ ଅବସର ମିଳିବ । ଲୋକେ ପଳାୟନ କରିବା ପାଇଁ ବାଧ୍ୟ ହେବେନାହିଁ । ବାଣିଜ୍ୟ କାରବାର ବଢିବା ସହ ନିବେଶରେ ବୃଦ୍ଧି ହେବ । ଏକବିଂଶ ଶତାବ୍ଦିର ଆଧିୁନିକ ଭିତ୍ତିଭୂମି ଥିବ । ଅସଲ ବଙ୍ଗର ଅର୍ଥ ଏପରି ବଙ୍ଗଳା ଯେଉଁଠି ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ବର୍ଗର ବିକାଶ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଯେବେ ଭାରତ ନିଜ ସ୍ବାଧିନତାର 75 ବର୍ଷରେ ପାଦ ଥାପୁଛି, ସେବେ ବଙ୍ଗରେ ନୂଆ ଉର୍ଜା, ନୂଆ ସଙ୍କଳ୍ପ ସହିତ ଆଗକୁ ବଢିବ । ଦେଶ ଭଳି ହିଁ ବଙ୍ଗଳାରେ ବିକାଶ ପାଇଁ ଆଗାମୀ 25 ବର୍ଷ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ଏହି 25 ବର୍ଷ ଆରମ୍ଭର ଏହା ପ୍ରଥମ ପାହାଚ ଏହି ବିଧାନସଭା ନିର୍ବାଚନ । ବଙ୍ଗରେ ବନ୍ଦରରୁ ବିମାନବନ୍ଦର ପର୍ଯ୍ୟନ୍ତ, ଚା'ରୁ ପର୍ଯ୍ୟଟନ ଯାଏଁ, ମାଛରୁ ଭାତ ଯାଏଁ ସବୁକିଛି ରହିଛି ଯାହା ଜୀବନକୁ ସୁଗମ କରିବା ପାଇଁ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ