ନୂଆଦିଲ୍ଲୀ: ଆଜି ଭାରତୀୟ ଗଣତନ୍ତ୍ର ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଫର୍ଦ୍ଦ । ବ୍ରିଟିଶ ଅମଳରୁ ନାମିତ ଥିବା ରାଜଧାନୀ ରାଜପଥର ନାମ ପରବର୍ତ୍ତନ ସାଙ୍ଗକୁ ନବୀକରଣ ହୋଇଥିବା କର୍ତ୍ତବ୍ୟ ପଥକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଇଣ୍ଡିଆ ଗେଟରେ ଆୟୋଜିତ କାର୍ଯ୍ୟକ୍ରମର କର୍ତ୍ତବ୍ୟ ପଥ, ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।



ଆଜି ଲୋକାର୍ପଣ ଅବସରରେ ସମ୍ପୂର୍ଣ୍ଣ କର୍ତ୍ତବ୍ୟ ପଥକୁ ଆଲୋକମାଳରେ ସଜ୍ଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ମୋଦି ପ୍ରତିଶ୍ରୁତି ଦେଇଥିଲେ । ପରେ ଏକ ସେଣ୍ଟ୍ରାଲ ଭିଷ୍ଟା ଆଭିନ୍ୟୁ ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ।


କର୍ତ୍ତବ୍ୟ ପଥର ଲୋକାର୍ପଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡିଆ ଗେଟ ନିକଟରେ ସଦ୍ୟ ନିର୍ମିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ଗ୍ରାନାଇଟ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ନେତାଜୀଙ୍କର ଏହି ଗ୍ରାନାଇଟ ପ୍ରତିମୂର୍ତ୍ତିର ଉଚ୍ଚତା 28 ଫୁଟ ହୋଇଥିବା ବେଳେ ଜେଟ୍ ବ୍ଲାକ୍ ଗ୍ରାନାଇଟ ପଥରରେ ଏହାକୁ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ