ବାରଣାସୀ: ପ୍ରଧାନମନ୍ତ୍ରୀ ମୋଦି ଆଜି (ଗୁରୁବାର) ନିଜ ସଂସଦୀୟ କ୍ଷେତ୍ର ୟୁପି ବାରଣାସୀ ଗସ୍ତରେ ଅଛନ୍ତି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 78 ଟି ଯୋଜନାର ପ୍ରାୟ 1583 କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।
କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତର ପ୍ରଦେଶ ସମଗ୍ର ଦେଶରେ କୋରୋନା ମୁକାବିଲାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ମୋଦି କହିଛନ୍ତି ରାଜ୍ୟରେ ଏବେ ଅଧିକରୁ ଅଧିକ ଟେଷ୍ଟିଂ ହେଉଛି । ୟୁପି ସାରା ଦେଶରେ ଅଧିକ ଟୀକାକରଣ କରଥିବା ରାଜ୍ୟରେ ପରିଣତ ହୋଇଛି ।
ମୋଦି ଆହୁରି କହିଛନ୍ତି ମୁଁ କାଶୀର ସହଯୋଗୀଙ୍କୁ ଶାସନ ପ୍ରଶାସନକୁ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଯେଉଁମାନେ ମହାମାରୀ ବିରୋଧରେ ଲଢେଇ କରୁଛନ୍ତି । ସେହିପରି କାଶୀର ବିକାଶ ପାଇଁ କଠୋର ପରିଶ୍ରମ କରିଥିବା ରାଜ୍ୟ ସରକାର ଓ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୋଦି । ମୋଦି କହିଛନ୍ତି ଦେଶର ସର୍ବାଧିକ ଜନସଂଖ୍ୟା ବହୁଳ ରାଜ୍ୟ ୟୁପି ଯେଉଁଭଳି ଭାବେ ମହାମାରୀ ମୁକାବିଲା କରୁଛି ତାହା ଅଦ୍ଭୂତ ।
ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଂଶସା...
ସମ୍ବୋଧିତ ବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଯୋରଦାର ତାରିଫ କରିଛନ୍ତି । ଗତ କିଛି ମାସ ମଧ୍ୟରେ ମହାମାରୀ ଯେଭଳି ରୂପ ପରିବର୍ତ୍ତନ କରୁଛି ତାହାକୁ ଦୃଢତାର ସହ କାଶୀବାସୀ ଓ ରାଜ୍ୟବାସୀ ମୁକାବିଲା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି କହିଛନ୍ତି ଆଗରୁ ରାଜ୍ୟରେ ବଂଶବାଦ ଦୂର୍ନୀତିବାଦ ଚାଲିଥିଲା । ଏବେ ଦୃତଗତିରେ ଯୋଗୀଙ୍କ ନେତୃ୍ତ୍ବରେ ବିକାଶବାଦ ଜାରି ରହିଛି । ଯୋଗୀ ଜଣେ କର୍ମଯୋଗୀ ମୁଖ୍ୟମନ୍ତ୍ରୀ । ତାଙ୍କ ନେତୃତ୍ବରେ ବିକାଶ ଜାରି ରହିବ ବୋଲି ମୋଦି ଘୋଷଣା କରିଛନ୍ତି ।
ବିରୋଧୀଙ୍କୁ ସିଧା ନିଶାନା...
ପ୍ରଧାନମନ୍ତ୍ରୀ ମୋଦି ବନାରସ ମଞ୍ଚରୁ ଆହୁରି କହିଛନ୍ତି 2017 ପୂର୍ବରୁ ଦିଲ୍ଲୀରୁ ୟୁପି ପାଇଁ ଟଙ୍କା ଆସୁଥିବା ବେଳେ ଅଧାବାଟରେ ଟଙ୍କା ଲୁଟ ହେଉଥିଲା । ଏବେ ସେହି ଚିତ୍ର ଆଉ ନାହିଁ । ଲାଭାର୍ଥୀଙ୍କ ପାଖକୁ ସରକାରୀ ଯୋଜନାର ଲାଭ ସିଧାସଳଖ ଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ କଠୋର ପରିଶ୍ରମ କରି ରାଜ୍ୟ ବ୍ୟାପୀ ଗସ୍ତ କରୁଛନ୍ତି । ଯାହା ବିରୋଧୀଙ୍କୁ ନିରାଶ କରିଛି । ଫଳରେ ସରକାର ବିରୋଧରେ ବିରୋଧୀ ଅପପ୍ରଚାର ଚଳାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ