ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍ ଯାଇଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ କରିବା ଲାଗି ୟୁରୋପୀୟ ଦେଶର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି(ଶୁକ୍ରବାର) ଗ୍ରୀସରେ ପହଞ୍ଚିଛନ୍ତି । ତେବେ ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ । ୪୦ ବର୍ଷ ପୂର୍ବରୁ ୧୯୮୩ ମସିହାରେ ଶେଷ ଥର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଯାଇଥିଲେ । ସେବେଠୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ୟୁରୋପୀୟ ଦେଶ ଗସ୍ତ କରିନଥିଲେ ।
ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋତାକିସ ନିମନ୍ତ୍ରଣ ରକ୍ଷା କରି ମୋଦି ଗ୍ରୀସ ଗସ୍ତ କରିଛନ୍ତି । ଆଜି ସକାଳେ ସେ ଏଥେନ୍ସ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି । ମୋଦିଙ୍କ ଦିନିକିଆ ଗସ୍ତ ପାଇଁ ଗ୍ରୀସରେ ରହୁଥିବା ପ୍ରବାସୀ ଭାରତୀୟମାନେ ବେଶ୍ ଉତ୍ସାହିତ ଅଛନ୍ତି । ଏଥେନ୍ସରେ ସେ ରହିବାକୁ ଥିବା ହୋଟେଲ ବାହାରେ ପ୍ରବାସୀମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ସମସ୍ତେ ହାତରେ ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଚାହିଁ ବସିଛନ୍ତି ।
ଏହାମଧ୍ୟ ପଢନ୍ତୁ: Brics Summit 2023: ସଂଗଠନରେ ସାମିଲ ହେବେ 6ଟି ନୂଆ ଦେଶ
ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ 'X'ରେ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀସରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ସୈନିକଙ୍କ କବରସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାପରେ ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା ସାକେଲାରୋପୁଲୁଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋତାକିସଙ୍କ ସହ ବୈଠକ କରିବେ ।
ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୋଦିଙ୍କ ପାଇଁ ନୈଶ୍ୟ ଭୋଜିର ଆୟୋଜନ କରାଯାଇଛି । ମୋଦି ଗ୍ରୀସ ପ୍ରତିପକ୍ଷଙ୍କୁ ଭେଟି ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବାକୁ ଆଲୋଚନା କରିବେ । ଏହାସହିତ ଉଭୟ ଦେଶର ବ୍ୟବସାୟୀମାନଙ୍କୁ ବି ସାକ୍ଷାତ କରିବେ । ଗ୍ରୀସରୁ ଫେରିବା ପୂର୍ବରୁ ଚନ୍ଦ୍ରଯାନ ମିଶନର ସଫଳତା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ଉତ୍ସୁକ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
୧୯୮୩ ମସିହାରେ ଇନ୍ଦିରା ଗାନ୍ଧୀ ଗ୍ରୀସ ଯାଇଥିଲେ । ୨୦୧୯ରେ ଗ୍ରୀସ ପ୍ରଧାନମନ୍ତ୍ରୀ ମିତସୋତାକିସ ନୂଆଦିଲ୍ଲୀ ଆସିଥିଲେ ।