ବେଙ୍ଗାଲୁର: ଅଷ୍ଟମ ଥର ପାଇଁ କର୍ଣ୍ଣାଟକ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ସକାଳୁ କର୍ଣ୍ଣାଟକ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୁଣ୍ଡରେ କଳା ଟୋପି, ହାତରେ ଜ୍ୟାକେଟ ଓ ଖାକି ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି । ଏହି ଗେଟଅପରେ ଆଜି ପିଏମ ମୋଦି ସଫାରି ଯାତ୍ରାର ଉପଭୋଗ କରିବେ ।
ଆଜି ସକାଳୁ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପହଞ୍ଚିଥିଲେ । ସେଠାରୁ 15 କିଲୋମିଟର ସଫାରିରେ ଜଙ୍ଗଲ ଯାତ୍ରା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପୋଷାକକୁ ନେଇ ଚର୍ଚ୍ଚା ହୋଇଛି । କଳା ଟୋପି ସହ ଖାକି ପୋଷାକରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକ଼ଡି ହୋଇଛି । ପିଏମଙ୍କ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପ୍ରିଲ 6ରୁ ଏପ୍ରିଲ 9 ଯାଏଁ ପର୍ଯ୍ୟଟକଙ୍କ ଗସ୍ତ ବନ୍ଦ ରହିଛି । ଏହାସହିତ ଜାତୀୟ ରାଜପଥ 181ରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଆଇବିସିଏ ବିଶ୍ୱର ସାତଟି ବିଗ କ୍ୟାଟ ଯଥା ବାଘ, ସିଂହ, କଲରାପତରିଆ ବାଘ, ତୁଷାର ବାଘ, ପୁମା, ଜାଗୁଆର ଓ ଚିତା ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରୁଛି । ପ୍ରଧାନମନ୍ତ୍ରୀ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗସ୍ତ ସହ ସଂରକ୍ଷଣ ସହିତ ଜଡିତ ଆଗ ଧାଡିର କର୍ମଚାରୀ ଓ ସ୍ବାୟଂ ସହାୟର ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବେ । ମୁଡୁମଲାଇ ବ୍ୟାଘ୍ର ସଂରକ୍ଷଣସ୍ଥଳୀ ଅନ୍ତର୍ଗତ ଟିପାକାଡୁ ହସ୍ତୀ ଶିବିର ପରିଦର୍ଶନ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ସମାବର୍ତ୍ତନ ସମାରୋହର ଉଦଘାଟନ କରିବେ । ଏହି ଅବସରରେ “ବ୍ୟାଘ୍ର ସଂରକ୍ଷଣ ନେଇ ଅମୃତ କାଳର ଦୃଷ୍ଟିକୋଣ” ଶୀର୍ଷକ ପୁସ୍ତିକା ଉନ୍ମୋଚନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ନିକଟରେ ପଞ୍ଚମ ଶ୍ରେଣୀୟ ପରିଚାଳନା ଓ ମୂଲ୍ୟାୟନରେ ସର୍ବାଧିକ ଅଙ୍କ ଅର୍ଜନ କରିଥିବା କ୍ଷେତ୍ର ନିର୍ଦ୍ଦେଶକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।
ଏହା ବି ପଢନ୍ତୁ...ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ, କହିଲେ କୋର୍ଟରେ ଦେଖା ହେବା
ଏହା ବି ପଢନ୍ତୁ...ପୁଣି ଫେରିଲା କୋରୋନା କଟକଣା, ହରିୟାଣାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗତକାଲି (ଶନିବାର) ଠାରୁ ଦୁଇ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି । ଗସ୍ତ ପ୍ରାରମ୍ଭରେ ତେଲେଙ୍ଗାନା ପରେ ତାମିଲନାଡୁ ଗସ୍ତ କରିଥିଲେ । ଉଭୟ ରାଜ୍ୟରେ ବହୁ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ତାମିଲନାଡୁ ଗସ୍ତରେ ମୋଦି ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ବିତ ରହଣୀସ୍ଥଳ ଭବନ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିଥିଲେ । ଏହାପରେ ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଥିଲେ ।