ନୂଆଦିଲ୍ଲୀ:ସ୍ବାଧିନତା ସଂଗ୍ରାମ ସମୟରେ ଘଟିଥିବା ଚୌରୀଚୌରାର ଐତିହାସିକ ଘଟଣାର ଶତାବ୍ଦୀ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଯୋଗେ ପ୍ରଧାନମନ୍ତ୍ରୀ ଶହୀଦଙ୍କୁ ସ୍ମରଣ କରିବା ସହିତ କୃଷି ଆଇନ ଓ ବଜେଟରେ କରିଛନ୍ତି ପ୍ରଶଂସା ।
କୃଷି ଆଇନକୁ ଲାଭଦାୟୀ ଆଖ୍ୟା ଦେଇ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ଏହାଦ୍ବାରା ଆମ ଚାଷୀ ଆତ୍ମନିର୍ଭର ହେବେ । ନୂଆ କୃଷି ଆଇନ ଲାଗୁହେବା ପରେ ଆମ ଚାଷୀ କୌଣସି ବି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଗତୀର ସବୁଠୁ ବଡ ଆଧାର ଚାଷୀ । ଏନେଇ ବଜେଟରେ ମଜବୁତ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ସରକାର ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ କ୍ରମାଗତ କାମ କରୁଛନ୍ତି । ବଜେଟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୋରୋନା କାଳରେ ଯେଉଁ ଚ୍ୟାଲେଞ୍ଜର ଆମେ ସାମ୍ନା କରିଛୁ, ଏହାସହ ମୁକାବିଲା ପାଇଁ ବଜେଟ ନୂଆ ଗତି ଦେବ । ବଜେଟରେ ଟ୍ୟାକ୍ସ ନ ବୃଦ୍ଧି ନକରିବାକୁ ନେଇ ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ ପୂର୍ବରୁ ଅନେକ ଲୋକ କହୁଥିଲେ ଯେ ଦେଶ ଏତେ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି, ଟ୍ୟାକ୍ସ ବୃଦ୍ଧି କରିବାକୁ ପଡ଼ିବ । ଦେଶର ସାଧାରଣ ନାଗରିକଙ୍କ ଉପରେ ବୋଝ ପଡିବ । ନୂତନ ଟିକସ ଆଦାୟ କରିବାକୁ ପଡିବ, କିନ୍ତୁ ଏହି ବଜେଟରେ ଦେଶବାସୀଙ୍କ ଉପରେ କୌଣସି ବୋଝ ଲଦି ଦିଆଯାଇନାହିଁ ବରଂ ଦେଶକୁ ଶୀଘ୍ର ଗତି କରିବା ପାଇଁ ସରକାର ଅଧିକରୁ ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପିଏମ କହିଛନ୍ତି ।
ଦେଶର ବିକାଶର ଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ବ୍ୟାପକ ରାସ୍ତା ନିର୍ମାଣ ପାଇଁ ଏହା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ଆପଣଙ୍କ ଗାଁକୁ ସହରରୁ ବଜାର ପର୍ଯ୍ୟନ୍ତ ସଂଯୋଗ କରିବ । ଏଥିରେ ବ୍ରିଜ ନିର୍ମାଣ ହେବ, ରେଳ ଟ୍ରାକ ବିଛାଯିବ । ନୂତନ ରେଳ ଚାଲିବ । ନୂଆ ବସ ଚଳାଚଳ କରିବ । ଉତ୍ତମ ଶିକ୍ଷା ବ୍ୟବସ୍ଥା କରାଯିବ ।
ଯୁବକମାନଙ୍କ ରୋଜଗାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଯୁବକମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ବଜେଟରେ ଅନେକ ନିଷ୍ପତ୍ତି ନିଆଯାଇଛି। ରାସ୍ତା, ରେଳ, ପୋଲ ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ଶ୍ରମିକମାନେ ମଧ୍ୟ ଆବଶ୍ୟକ ହେବେ । ଯେତେବେଳେ ସରକାର ନିର୍ମାଣ ପାଇଁ ଅଧିକ ଖର୍ଚ୍ଚ କରନ୍ତି ସେତେବେଳେ ଦେଶର ଲକ୍ଷ ଲକ୍ଷ ଯୁବକ ମଧ୍ୟ ରୋଜଗାର ପାଇବେ ଓ ଆୟର ନୂତନ ରାସ୍ତା ଖୋଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।