ବେଙ୍ଗାଲୁରୁ: ଜଳବାୟୁର ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବା ସାଙ୍ଗକୁ ବିଭିନ୍ନ ସମୟରେ ଏହା ପ୍ରାକୃତିକ ଦୁର୍ବିପାକ ପାଇଁ ମୁଖ୍ୟ କାରଣ ହୋଇଛି । ତେବେ ଜୀବଜଗତ ପାଇଁ ପରିବେଶ ସନ୍ତୁଳନ ଠିକ୍ ରହିବା ନିହାତି ଆବଶ୍ୟକ । ଏହାକୁ ନଜରରେ ରଖି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ସଚେତନ କରାଇବା ସହିତ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାରି ରହିଛି । ତେବେ କଥାରେ ଅଛି ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଆମର ପ୍ରାଣ । ଆଜି ଯେମିତି ଏହି ଉକ୍ତିଟି ମଣିଷ ସମାଜ ପାଇଁ ପ୍ରହେଳିକା ଭଳି ହୋଇଛି ।
ତେବେ ଏହାର ଏକ ଉଦାହରଣ କର୍ଣ୍ଣାଟକର ରାଜଧାନୀରେ ବେଙ୍ଗାଲୁରୁ ହୋଇଥିବା ସହରୀ ବନ୍ୟାରେ ଦେଖିବାକୁ ମିଳିଛି। ବିକାଶ ନାଁରେ ଯେଉଁଭଳି ଗଛ କଟାଯାଉଛି, ତାହା ପରିବେଶ ସନ୍ତୁଳନ ରକ୍ଷା କରିବାରେ ବାଧକ ହେଉଛି। ଆସନ୍ତୁ ଏକ ଉଦାହରଣ ରୂପେ ବେଙ୍ଗାଲୁରୁ ସହରକୁ ନେବା । ତେବେ 1973 ମସିହାରେ ବେଙ୍ଗାଲୁରୁ ସହର 68.2 ପ୍ରତିଶତ ଅଞ୍ଚଳ ସବୁଜିମାରେ ଭରି ରହିଥିବା ବେଳେ 7.97 ପ୍ରତିଶତ ସ୍ଥାନରେ ଜନବସତି ରହିଥିଲା। ତେବେ 2002 ମସିହାରେ ଏଥିରେ ଦେଖାଯାଇଥିଲା ବିରାଟ ବ୍ୟତିକ୍ରମ। ଯାହାକି 38.7 ପ୍ରତିଶତ ଜଙ୍ଗଲ, ଚାଷଜମି ଓ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା ବେଳେ ପ୍ରାୟ 37.4 ପ୍ରତିଶତ ଅଞ୍ଚଳରେ ବିରାଟ ବିରାଟ ଅଟ୍ଟାଳିକା ମାନ ଗଢି ଉଠିଥିଲା । ଫଳରେ ଏହି 29ବର୍ଷ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ବେଙ୍ଗାଲୁରୁ ସହର ଅଧାରୁ ଅଧିକ ସ୍ଥାନ କଂକ୍ରିଟ୍ ବିଲଡିଂରେ ଆଚ୍ଛାଦିତ ହୋଇଯାଇଥିଲା। ସେହିପରି 2017 ମସିହାରେ ମାତ୍ର 6.46 ପ୍ରତିଶତ ପ୍ରାକୃତିକ ପରିବେଶ ଭରା ସ୍ଥାନ ବଳକା ରହିଥିବା ବେଳେ 78.7 ପ୍ରତିଶତ ଜାଗା ସମ୍ପୂର୍ଣ୍ଣ ଜନଗହଳି ପୂର୍ଣ୍ଣ ବିଲଡିଂରେ ପରିଣତ ହୋଇଥିଲା ।
ଏନେଇ ଦର୍ଶାଉଛି ଯେ, ବେଙ୍ଗାଲୁରୁ ସହରର ଅଭିବୃଦ୍ଧି ଧୀରେ ଧୀରେ ବଢିବା ସହିତ ଜଙ୍ଗଲ ସହ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟର ଦ୍ରୁତ ଅବନୀତି ଘଟିଛି। ପ୍ରାକୃତିକ ପରିବେଶ ଭରା ଜମିକୁ ଅଧିକ ଦଖଲ କରାଯିବା ସହିତ 2002-2017 ବର୍ଷ ମଧ୍ୟରେ ଜଙ୍ଗଲ କମି 38.7% ରୁ 6.46% କୁ ହ୍ରାସ ପାଇଥିଲା। ବେଙ୍ଗାଲୁରୁ ସହରକୁ କର୍ମ ସଂସ୍ଥାନ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା ଅଧିକ ହେବାରୁ ଜଙ୍ଗଲ ଜମିକୁ ରୂପାନ୍ତର କରି କୋଠା ନିର୍ମାଣ କରାଯାଇଛି। ସେହିଭଳି 2020 ମସିହାରେ ହୋଇଥିବା ଶେଷ ସର୍ଭେ ଅନୁସାରେ, 93.3 ପ୍ରତିଶତ ଜମି ସମ୍ପୂର୍ଣ୍ଣ ଭାବେ କଂକ୍ରିଟ୍ କୋଠାରେ ପରିଣତ ହୋଇଛି। ମାତ୍ର 2.96 ପ୍ରତିଶତ ଜମି ପରିବେଶ ଉପଯୋଗୀ ହୋଇ ରହିଛି। ଫଳରେ ଆଗମୀ 3 ବର୍ଷରେ ପ୍ରାୟ 3.5 ପ୍ରତିଶତ ଜମି ସହରୀ କୋଠାରେ ପରିଣତ ହୋଇଯିବ ବୋଲି ଆକଳନ କରାଯାଇଛି ।
ଅନ୍ୟପଟେ ବିଗତ 47 ବର୍ଷରେ ବେଙ୍ଗାଲୁରୁ ସହରର ରୂପରେଖ ବଦଳିବା ସହ 68.2 ପ୍ରତିଶତ ପ୍ରାକୃତିକ ପରିବେଶ ଭରା ଜମି 2.96 ପ୍ରତିଶତକୁ ହ୍ରାସ ଘଟିବା ସହିତ ମଣିଷ ସମାଜ ଓ ଜୀବଜଗତ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ ସହରୀକରଣ ସାଙ୍ଗକୁ ପରିବେଶ ସୁରକ୍ଷା ପାଇଁ ଯଥେଷ୍ଟ ପରିମାଣର ବୃକ୍ଷ ରୋପଣ କରିବା ଜରୁରୀ ଅଟେ ।
ତେବେ ଏନେଇ ସମସ୍ତେ ଜୀବନକାଳ ମଧ୍ୟରେ ଅତିକମ୍ ରେ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ପ୍ରତିଶୃତି ବଦ୍ଧ ହେବା । ଏଥିସହ ପରିବେଶରେ ବୃକ୍ଷର ପରିମାଣ, ଯେତେ ରହିବ ଆମମାନଙ୍କୁ ସେହି ଆକାରରେ ସୁସ୍ଥ ବାୟୁ ଓ ଜଳବାୟୁ ପରିବର୍ତ୍ତନ ରୋକିବାରେ ସକ୍ଷମ ହେବ। ଏହାଛଡା ପ୍ରାକୃତିକ ଦୁର୍ବିପାକ ରୋକିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ