ମୁମ୍ବାଇ: ମହାରାଷ୍ଟ୍ରର ଜଲଗାଁରେ ଏକ ପ୍ରଶିକ୍ଷଣ ହେଲିକପ୍ଚର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟର କ୍ରାସ ଯୋଗୁଁ ଜଣେ ପାଇଲଟର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଟ୍ରେନିଙ୍ଗ ଏକାଡେମୀର ବୋଲି ସୂଚନା ଦେଇଛି ପୋଲିସ । ଏଥିରେ ୨ ଜଣ ଉପସ୍ଥିତ ଥିଲେ । ତେବେ ପ୍ରଶିକ୍ଷଣ ଦେଉଥିବା ପାଇଲଟର ମୃତ୍ୟୁ ହୋଇଥିବାବେଳେ ଟ୍ରେନୀ ପାଇଲଟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଆହତ ପାଇଲଟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି । ଏହାପୂର୍ବରୁ ଧନୀପୁଟ ଏୟାରପୋର୍ଟରେ ଏକ ଟ୍ରେନୀ ଏୟାରକ୍ରାଫ୍ଟ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ କ୍ରାସ ହୋଇଥିଲା ।
ଏହି ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।