ଯେଉଁ ଦଳ ସରକାରରେ ଥାଆନ୍ତୁ ନା କାହିଁକି, ଅନ୍ତର୍ଜାତୀୟ ତୈଳ ବଜାରରେ ଦର ଉଠାପକା ଉପରେ ନିର୍ଭର କରି ପେଟ୍ରୋଲିୟମଜାତ ପଦାର୍ଥର ଦର ବଦଳୁଥାଏ । ହେଲେ, ନିକଟରେ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନ ସମୟରେ ଏହାର ଦରବୃଦ୍ଧି ହୋଇ ନଥିବାରୁ ଏହି ଦର ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ନିୟନ୍ତ୍ରିତ ହେଲା ଭଳି ମନେହୁଏ । ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ, ଦିନେ ଛଡ଼ା ଦିନେ ପେଟ୍ରୋଲ ଦର ବଢ଼ିବାରେ ଲାଗିଲା ଏବଂ ଏହି ଦରବୃଦ୍ଧିର ବୋଝ ଲୋକଙ୍କ ଉପରେ ପଡ଼ିଲା ।
ମାସକ ଭିତରେ ପେଟ୍ରୋଲ ଓ ଡିଜେଲର ଦର ଦଶ ଥର ସଂଶୋଧିତ ହୋଇସାରିଲାଣି । ଏହା ଫଳରେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟର ବିଭିନ୍ନ ସହରରେ ପେଟ୍ରୋଲ ଦର ଲିଟର ପିଛା 100 ଟଙ୍କାରୁ ଅଧିକ ହେଲାଣି । ଚିରାଚରିତ ଢଙ୍ଗରେ ଏହି ଦରବୃଦ୍ଧିର ଯୌକ୍ତିକତା ଦର୍ଶାଇବାକୁ ଯାଇ ବିଭିନ୍ନ ଇନ୍ଧନ ବିପଣନ ସଂସ୍ଥା କହନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 69 ଆମେରିକୀୟ ଡଲାରକୁ ବୃଦ୍ଧି ପାଇବା ହିଁ ଏହାର କାରଣ ।
2014ରେ ଏନ୍ଡିଏ ସରକାର ଶାସନ କ୍ଷମତାକୁ ଆସିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 110 ଆମେରିକୀୟ ଡଲାର ରହିଥିଲା । କିନ୍ତୁ ସେତେବେଳେ ପେଟ୍ରୋଲ ଲିଟର ପିଛା 71 ଟଙ୍କାରେ ଏବଂ ଡିଜେଲ ଲିଟର ପିଛା 57 ଟଙ୍କାରେ ବିକ୍ରି ହେଉଥିଲା । ତେଣୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 110 ଟଙ୍କା ଥିବା ସମୟ ସହିତ ବର୍ତ୍ତମାନର ଦରକୁ ତୁଳନା କଲେ ଏହି ଦରବୃଦ୍ଧି ପଛରେ ଥିବା କାରଣଗୁଡ଼ିକ କିଭଳି ତର୍କସମ୍ମତ ବୋଲି ସାଧାରଣ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ନିହାତି ଯୁକ୍ତିଯୁକ୍ତ ।
ଶକ୍ତି କ୍ଷେତ୍ରରେ ଭାରତକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବାର କାରଣ ପୂର୍ବବର୍ତ୍ତୀ ସରକାରମାନଙ୍କର ବିଫଳ ନୀତି ବୋଲି କହି ପ୍ରଧାନମନ୍ତ୍ରୀ ଯେତେବେଳେ ଦୋଷାରୋପ କରୁଥିଲେ, ସେତେବେଳେ ସେ କେବଳ ଅର୍ଦ୍ଧସତ୍ୟ ହିଁ କହୁଥିଲେ । ଏଠାରେ ଉଲ୍ଲେଖନୀୟ ଯେ, କୋଭିଡ୍ ପ୍ରାଦୁର୍ଭାବ ପୂର୍ବରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା 19 ଟଙ୍କା 98 ପଇସା ଥିଲା ଏବଂ ପରବର୍ତ୍ତୀ ସମୟରେ ଏହା 32 ଟଙ୍କା 98 ପଇସାକୁ ବୃଦ୍ଧି ପାଇଲା । ଅନୁରୂପ ଭାବରେ, ସେହି ସମୟରେ ହିଁ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା 15 ଟଙ୍କା 83 ପଇସାରୁ 31 ଟଙ୍କା 83 ପଇସାକୁ ବୃଦ୍ଧି ପାଇଲା । ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଇନ୍ଧନ ଉପରେ ଭ୍ୟାଟ୍ ବା ମୂଲ୍ୟଯୁକ୍ତ ଟିକସ ଲାଗୁ କରି ଏହି ଦରବୃଦ୍ଧିର ଅନ୍ୟତମ କାରଣ ସାଜିଲେ । ବର୍ତ୍ତମାନ ଇନ୍ଧନ ଦରର ଦୁଇ ତୃତୀୟାଂଶ କେବଳ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ବାରା ଲାଗୁ କରାଯାଇଥିବା ଟିକସ ବାବଦରେ ନିଆଯାଉଛି । ଅର୍ଥନୀତିଜ୍ଞମାନଙ୍କ ମତରେ ଯଦି ପେଟ୍ରୋଲିୟମ ଇନ୍ଧନକୁ ଦ୍ରବ୍ୟ ଓ ସେବା କର ବା ଜିଏସ୍ଟି ପରିସରଭୁକ୍ତ କରାଯାଏ, ତେବେ ପେଟ୍ରୋଲ ଲିଟର ପିଛା 75 ଟଙ୍କା ଏବଂ ଡିଜେଲ ଲିଟର ପିଛା 68 ଟଙ୍କାରେ ମିଳିବ । ସେମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ ।
ସାତ ବର୍ଷର ଏନ୍ଡିଏ ଶାସନ କାଳରେ ଦେଶର ବଜେଟ୍ର ଆକାର ପ୍ରାୟ ଦୁଇ ଗୁଣ ହୋଇଛି । ସେହିଭଳି ଏହି ସମୟ ମଧ୍ୟରେ ପେଟ୍ରୋଲିୟମ ଇନ୍ଧନରୁ ସରକାରଙ୍କ ଆୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି ।
2014-15 ବର୍ଷରେ ପେଟ୍ରୋଲିୟମ ଉପରୁ ଉତ୍ପାଦନ ଶୁଳ୍କ ବାବଦରେ ଆଦାୟ ଅର୍ଥ ପରିମାଣ ଥିଲା 74,158 କୋଟି ଟଙ୍କା । ଖୋଦ୍ କେନ୍ଦ୍ର ସରକାର ସଂସଦରେ କହିଥିଲେ ଯେ 2020-21 ବର୍ଷ ସୁଦ୍ଧା ପେଟ୍ରୋଲିୟମଜାତ ଇନ୍ଧନ ଉପରୁ ଆଦାୟ କରାଯାଇଥିବା ଉତ୍ପାଦନ ଶୁଳ୍କ ପରିମାଣ 2.95 ଲକ୍ଷ କୋଟିରେ ପହଞ୍ଚିଥିଲା ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବହୁ ତଳକୁ ଖସିଯାଇଥିବା ସମୟରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କକୁ ନଅ ଥର ବୃଦ୍ଧି କରିଥିଲେ । ନିଜ ପାଇଁ ପର୍ଯ୍ୟାପ୍ତ ରାଜସ୍ବ ହାସଲର ଲକ୍ଷ୍ୟପୂରଣ ନିମନ୍ତେ କେନ୍ଦ୍ର ସରକାର ପେଟ୍ରୋଲିୟମ ଉପରୁ ସାରା ବିଶ୍ବରେ ସର୍ବାଧିକ ହାରରେ ରାଜସ୍ବ ଆଦାୟ କରୁଛନ୍ତି । ଏହି ପ୍ରସଙ୍ଗରେ ନିଜେ କୌଣସି ଉପକ୍ରମ ହାତକୁ ନେବା ଭଳି ସ୍ଥିତିରେ ନାହାନ୍ତି ବୋଲି ପରୋକ୍ଷ ଇଙ୍ଗିତ ଦେଇଥିବା କେନ୍ଦ୍ର ସରକାର, ଏ କ୍ଷେତ୍ରରେ ରାଜ୍ୟମାନେ ଯେ କୌଣସି ପ୍ରକାର ସ୍ବାର୍ଥତ୍ୟାଗ କରିପାରନ୍ତି ବୋଲି କହିଥିଲେ । ଏହାକୁ ଆହୁରି ସ୍ପଷ୍ଟ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ ପେଟ୍ରୋଲିୟମ ଦରକୁ ନେଇ ସେ ଧର୍ମ ସଙ୍କଟରେ ପଡ଼ିଛନ୍ତି ।
ପେଟ୍ରୋଲିୟମ ଉପରେ ଶୁଳ୍କ ବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲୋକଙ୍କ ପାଖରୁ 5 ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି । ପେଟ୍ରୋଲିୟମଜାତ ପଦାର୍ଥକୁ ଜିଏସ୍ଟି ପରିସରଭୁକ୍ତ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି କହିଆସୁଥିବା କେନ୍ଦ୍ର ସରକାର, ଛଳନାପୂର୍ଣ୍ଣ ଭାବରେ ଏହା ମଧ୍ୟ କହୁଛନ୍ତି ଯେ, ରାଜ୍ୟ ସରକାରମାନେ ଚାହିଁଲେ ସେମାନଙ୍କ ପରାମର୍ଶକ୍ରମେ କୌଣସି ନିଷ୍ପତ୍ତି ନିଆଯାଇପାରେ ।
ସାତ ମାସର ବ୍ୟବଧାନ ପରେ ଆସନ୍ତା ସପ୍ତାହରେ ଜିଏସ୍ଟି ପରିଷଦର ବୈଠକ ବସିବାକୁ ଯାଉଛି । କୋଭିଡ୍ର ଦ୍ବିତୀୟ ଲହର ତୀବ୍ରତର ହେଉଥିବା ସମୟରେ ଔଷଧପତ୍ର, ଡାକ୍ତରୀ ଉପକରଣ ଏବଂ ଡାକ୍ତରୀ ସେବା ଉପରୁ ଟିକସ ଛାଡ଼ ପ୍ରସ୍ତାବ ସଂପର୍କରେ ପରିଷଦର ଏହି ବୈଠକରେ ଆଲୋଚନା କରାଯିବାର ଆଶା ରହିଛି । ଏବେ ବେକାରି, ମୁଦ୍ରାସ୍ଫୀତି ଏବଂ ଡାକ୍ତରୀ ସେବାର ଅତ୍ୟଧିକ ଦରବୃଦ୍ଧିର ବୋଝ ସହୁଥିବା ସାଧାରଣ ଲୋକଙ୍କ ପ୍ରତି ଦାୟିତ୍ବବାନ ହୋଇ ସରକାର କାର୍ଯ୍ୟ କରିବା ବିଧେୟ । ଡିଜେଲ ଓ ପେଟ୍ରୋଲକୁ ଜିଏସ୍ଟି ପରିସରଭୁକ୍ତ କରାଗଲେ ହିଁ ପେଟ୍ରୋଲିୟମ ଦରବୃଦ୍ଧି ଜନିତ ବୋଝ ସହିବାକୁ ବାରମ୍ବାର ବାଧ୍ୟ ହେଉଥିବା ଦେଶବାସୀ ନିସ୍ତାର ଲଭିବେ ।