ଲକ୍ଷ୍ନୌ: ମଥୁରା ଓ ବୃନ୍ଦାବନର 22ଟି ୱାର୍ଡରେ ମଦ ଓ ମାଂସ ବିକ୍ରି ଉପରେ ରୋକ ଲାଗିବାକୁ ବିରୋଧ କରି ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟ କହିଛନ୍ତି ଭାରତ ବିବିଧତାର ଦେଶ । ଯଦି ଏକତା ରଖିବାର ଅଛି ତେବେ ସମୁଦାୟ ସମ୍ପ୍ରଦାୟର ଧର୍ମକୁ ସମ୍ମାନ କରିବାକୁ ପଡିବ । ବିଭିନ୍ନତା ଭିତରେ ବି ଦେଶର ଏକତା ଖୁବ ସୁନ୍ଦର ବୋଲି କହିଛନ୍ତି ହାଇକୋର୍ଟ । ମଥୁରାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଶାହିଦାଙ୍କ ଦ୍ବାରା ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାରେ ଜଷ୍ଟିସ୍ ପ୍ରୀତିନକର ଦିବାକର ଏବଂ ଜଷ୍ଟିସ୍ ଅଶୁତୋଷ ଶ୍ରୀବାସ୍ତବଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଅନୁସାରେ, ଦାୟର ହୋଇଥିବା ଯାଚିକାରେ ପୋଲିସ ଲୋକଙ୍କୁ ହଇରାଣ କରୁଥିବା ସହ ଏପରି କରିବା ବନ୍ଦ କରାଯିବା ଉଚିତ୍ ଏବଂ ମଦ ଏବଂ ମାଂସ ବିକ୍ରୟ ଉପରେ ପ୍ରତିବନ୍ଧକ ହଟାଇବା ନେଇ ଦାବି ହୋଇଥିଲା । ନିଜ ପସନ୍ଦର ଖାଦ୍ୟ ଖାଇବା ଲୋକମାନଙ୍କର ମୌଳିକ ଅଧିକାର । କୋର୍ଟ କହିଛନ୍ତି ଯେ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ଆଇନଗତ ଉପରେ ବିଚାର କରାଯାଉ ନାହିଁ । ଅଦାଲତ ଆହୁରି କହିଛନ୍ତି ଯେ ମଥୁରା- ବୃନ୍ଦାବନ ଏକ ପବିତ୍ର ସ୍ଥାନ ଏବଂ ସେଠାରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସନ୍ତି । ତେଣୁ ଏଠି ମଦ ମାଂସ ବିକ୍ରି କରିବା ନେଇ ପ୍ରଶ୍ନ ଉଠୁନାହିଁ ।
10 ଡିସେମ୍ବର 2021ରେ ମଥୁରା ଓ କୃଷ୍ଣଜନ୍ମ ଭୂମିଠୁ 10 କିଲୋମିଟର ଦୂରରେ ମଦ ଓ ମାଂସ ବିକ୍ରି ଉପରେ ରୋକ ଲଗାଇଥିଲେ । ମଥୁରାର ଖାଦ୍ୟ ପ୍ରକ୍ରିୟାକରଣ ଅଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରୀ ଏକ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ମାଂସ ବିକ୍ରୟ କରୁଥିବା ଦୋକାନଗୁଡିକର ଲାଇସେନ୍ସ ରଦ୍ଦ କରି ଦେଇଥିଲେ । ସ୍ଥାନୀୟ ପ୍ରଶାସନର ଏହି ଆଦେଶରେ ଜଣେ ଆବେଦନକାରୀ ସାମାଜିକ କର୍ମୀ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ