ଏକ ନୂଆ ସର୍ବେକ୍ଷଣରୁ ଜଣାପଡିଛି ଯେ, ପ୍ରତି ତିନି ଅଭିଭାବକଙ୍କ ମଧ୍ୟରୁ ଜଣେ ସ୍କୁଲଗୁଡିକରେ ପିଲାଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତି । ପିୟର ସପୋର୍ଟ ଲିଡର୍ସ ଭଳି କାର୍ଯ୍ୟକ୍ରମ ସ୍କୁଲରେ ଆୟୋଜିତ ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି । ସର୍ବେକ୍ଷଣରୁ ସଂକେତ ମିଳିଛି ଯେ, ୫ ଜଣ କିଶୋରଙ୍କ ମଧ୍ୟରୁ ଜଣଙ୍କଠାରେ ଅବସାଦ, ଚିନ୍ତା ଭଳି ମାନସିକ ସ୍ୱାସ୍ଥ୍ୟ ବିଶୃଙ୍ଖଳାର ଲକ୍ଷଣ ଦେଖାଯାଏ । ଆତ୍ମହତ୍ୟା ହେଉଛି କିଶୋରମାନଙ୍କ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ।
ସର୍ବେକ୍ଷଣରୁ ଆହୁରି ଜଣାପଡିଛି ଯେ, କୌଣସି ମାନସିକ ରୋଗରେ ପୀଡିତ ହେଲେ ଜଣେ କିଶୋର ନିଜର ବୟସ୍କ ଅଭିଭାବକ, ବାପାମାଆ ଓ ଆତ୍ମୀୟସ୍ୱଜନଙ୍କ ଆଗରେ କିଛି ପ୍ରକାଶ କରି ନଥାଏ । ପ୍ରଥମେ ସେ ଆଉ ଜଣେ କିଶୋରକୁ ନିଜର ସମସ୍ୟା ସଂପର୍କରେ କହିଥାଏ । କିଶୋରମାନେ ଏହା ହିଁ ପସନ୍ଦ କରନ୍ତି । ଦ୍ୱିତୀୟ କିଶୋର ବି ସମାନ ସମସ୍ୟା ଦେଇ ଗତି କରୁଥିବାରୁ ଉଭୟେ ପରସ୍ପର ମଧ୍ୟରେ ଅଭିଜ୍ଞତା ବାଂଟିବା ସହ ପରସ୍ପରକୁ ସହାୟତା କରନ୍ତି ବୋଲି ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟର ସାରା କ୍ଲାର୍କ ଏକ ବିବୃତିରେ କହିଛନ୍ତି । କ୍ଲାର୍କଙ୍କ କହିବା କଥା ହେଲା ଯେ, ନିଜ ସମସ୍ୟା ସଂପର୍କରେ ବାପାମାଆଙ୍କୁ କହିଲେ ସେମାନେ ହୁଏତ ଅଧିକ ପ୍ରତିକ୍ରିୟାଶୀଳ ହେବେ ବା ସମସ୍ୟା ସଂପର୍କରେ ବୁଝିପାରିବେ ନାହିଁ । ଏହାଛଡା କିଶୋରମାନଙ୍କ ସମସ୍ୟା ବୁଝିବା ପାଇଁ ସ୍କୁଲ ଶିକ୍ଷକଙ୍କ ପାଖରେ ବି ସମୟ ନ ଥାଏ । ତେଣୁ କୌଣସି ସମସ୍ୟା ସୃଷ୍ଟି ହେଲେ କିଶୋରମାନେ ସେମାନଙ୍କ ସାଥୀଙ୍କୁ ହିଁ କହିବା ପସନ୍ଦ କରିଥାନ୍ତି । ମିଚିଗାନର ସିଏସ ମୋଟ୍ ଚିଲଡ୍ରେନ ହସପିଟାଲ ପକ୍ଷରୁ ଶିଶୁଙ୍କ ଯତ୍ନ
ସଂପର୍କରେ କରାଯାଇଥିବା ଏକ ଜାତୀୟ ସର୍ବେକ୍ଷଣ ଅନୁସାରେ ଅଧିକାଂଶ ବାପାମାଆ ଭାବନ୍ତି ଯେ, ଶିକ୍ଷକ ଓ କାଉନସେଲରଙ୍କ ଅପେକ୍ଷା ସାଙ୍ଗସାଥୀ ହିଁ କିଶୋରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱା ଭଲ ଭାବେ ବୁଝିପାରିବେ । କିଶୋରାବସ୍ଥାରେ ମାନସିକ ଅବସାଦ, ଏଙ୍କଜାଇଟି ଭଳି ସମସ୍ୟା ଦୂର କରିବା ପାଇଁ ସ୍କୁଲଗୁଡିରେ ପିୟର ସପୋର୍ଟ ଲିଡର୍ ବ୍ୟବସ୍ଥା କରିବା ନେଇ ମଧ୍ୟ ଅଧିକାଂଶ ବାପାମାଆ ସମ୍ମତ ହୋଇଛନ୍ତି ।କରାଯାଇଥିବା ସର୍ବେକ୍ଷଣ ଅନୁସାରେ ୩୮ ପ୍ରତିଶତ ମାତାପିତା ବିଶ୍ୱାସ କରନ୍ତି ଯେ, ଯଦି ସେମାନଙ୍କର କିଶୋର ପୁଅ ବା ଝିଅ ମାନସିକ ସ୍ୱାସ୍ଥ୍ୟ
ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତାହା ହେଲେ ସେମାନେ ପିୟର ସପୋର୍ଟ ଲିଡରଙ୍କ ସହ ଏ ବାବଦରେ କଥା ହେବେ । ୪୧ ପ୍ରତିଶତ ମାଆବାପା କହିଛନ୍ତି ଯେ, ସେମାନର ପିଲାମାନେ ଏପରି ଏକ ବ୍ୟବସ୍ଥାର ଫାଇଦା ନେଇପାରିବେ । ଆଉ ୨୧ ପ୍ରତିଶତ କହିଛନ୍ତି ଯେ, ସେମାନଙ୍କ ପିଲାମାନେ ପିୟର ମେଂଟରଙ୍କ ସମର୍ଥନ ଲୋଡିବା ସମ୍ଭାବନା ନାହିଁ । ଏହି ଜାତୀୟ ସର୍ବେକ୍ଷଣରେ ୧୩ରୁ ୧୮ ବର୍ଷ ବୟସ୍କ କିଶୋରଙ୍କ ୧ ହଜାର ପିତାମାତାଙ୍କ ରାୟ ଲୋଡାଯାଇଥିଲା । ପିୟର ସପୋର୍ଟ ଲିଡର ଭଳି କାର୍ଯ୍ୟକ୍ରମ ଉପରେ ସେମାନଙ୍କ ମତାମତ ଲୋଡାଯାଇଥିଲା ।