ମୁମ୍ବାଇ: ବିମାନ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବିମାନ ଉଡାଣ ସମୟରେ ଏମର୍ଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କଲେ ଯାତ୍ରୀ । ମହାରାଷ୍ଟ୍ର ନାଗପୁରରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଡୋର ଖୋଲିବାକୁ ଜଣେ ଯାତ୍ରୀ ଉଦ୍ୟମ କରିଥିବା ଜଣାପଡିଛି । ଏହି ଯାତ୍ରୀଙ୍କ ନାମ ପ୍ରଣବ ରାଉତ । ଏନେଇ ତାଙ୍କ ବିରୁଦ୍ଧରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ ଏକ ମାମଲା ରୁଜୁ କରିଛି । ତେବେ ଗତ ୨୪ ତାରିଖ ଦିନ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ପୋଲିସ ସୂଚନା ମୁତାବକ, ୨୪ ତାରିଖ ଦିନ ୧୧ଟା ୫ ମିନିଟ୍ ସମୟରେ ନାଗପୁରରୁ ଇଣ୍ଡିଗୋ ବିମାନ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା । ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଡୋର ଖୋଲିବାକୁ ଚେଷ୍ଟା କରୁଥିବା ଇଣ୍ଡିକେଟରରୁ ଜଣାପଡିଥିଲା । ଏହାଦେଖି କ୍ରୁ ମେମ୍ବର ଦୌଡି ଯାଇ ଯାତ୍ରୀଙ୍କୁ ଅଟକାଇବା ସହ କ୍ୟାପ୍ଟେନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏ ବାବଦରେ ଜଣାଇଥିଲେ । ଏହାପରେ ଏୟାରଲାଇନ୍ସ ପକ୍ଷରୁ ପୋଲିସ ନିକଟରେ ସମ୍ପୃକ୍ତ ଯାତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା । ବିମାନ ଯାତ୍ରା କାଳରେ ସହଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ଅଭିଯୋଗରେ ପୋଲିସ ଆଇପିସିର ଧାରା ୩୩୬ ସହ ୧୯୩୭ ଏୟାରକ୍ରାପ୍ଟ ନିୟମର ୨୩(୧)(b) ଧାରାରେ ଏକ ମାମଲା ରୁଜୁ କରିଛି ।
ଏହାମଧ୍ୟ ପଢନ୍ତୁ: ବିମାନର ଏମରଜେନ୍ସି ଡୋର ଖୋଲିଦେଲେ ବିଜେପି ସାଂସଦ ! ତଦନ୍ତ ନିର୍ଦ୍ଦେଶ ଦେଲା DGCA
ପ୍ରକାଶଥାଉ କି, କିଛି ଦିନ ତଳେ ଚେନ୍ନାଇରୁ ଥିରୁଅନନ୍ତପୁରମ ଅଭିମୁଖେ ଉଡାଣ ଭରିବାକୁ ଥିବାବେଳେ ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ ଏମର୍ଜେନ୍ସି ଡୋର ଖୋଲି ଦେଇଥିଲେ । ସମ୍ପୃକ୍ତ ଯାତ୍ରୀ ଜଣକ ଭାରତୀୟ ଜନତା ପାର୍ଟିର ସାଂସଦ ତେଜସ୍ବୀ ସୂର୍ଯ୍ୟା ବୋଲି ଖବର ପ୍ରଚାରିତ ହୋଇଥିଲା । ମାତ୍ର ଡିଜିସିଏ କିମ୍ବା ବିମାନ କମ୍ପାନୀ ପକ୍ଷରୁ କାହାର ନାମ ପ୍ରକାଶ କରାଯାଇ ନଥିଲା । ଗତବର୍ଷ ଡିସେମ୍ବର ୧୦ରେ ଏହି ଘଟଣା ଘଟିଥିଲା ।