ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ନୋଟିସ । ଶନିବାର ଦିନ ଦିଲ୍ଲୀର ପଟିଆଲା କୋର୍ଟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ନୋଟିସ ଜାରି କରିଛନ୍ତି । ତେବେ ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ଅଭିଯୁକ୍ତ ନୀଲମ ଆଜାଦଙ୍କ ଅଭିଭାବକଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏତଲାର କପି ପାଇଁ ପଟିଆଲା କୋର୍ଟରେ ଏକ ଆବେଦନ କରିଛନ୍ତି । ଏଥିସହ ନୀଲମଙ୍କ ସହ ସାକ୍ଷାତ କରିବାକୁ ମଧ୍ୟ ଅନୁମତି ଲୋଡିଛନ୍ତି ନୀଲମଙ୍କ ପରିବାର । ଏନେଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି କୋର୍ଟ ।
ତେବେ ଅଭିଯୁକ୍ତ ନୀଲମ ଆଜାଦଙ୍କ ଅଭିଭାବକ ଆଜାଦ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଏବଂ ୟୁପିଏର ବିଭିନ୍ନ ବିଭାଗ ଅଧୀନରେ ପଞ୍ଜୀକୃତ ହୋଇଥିବା ଏତଲାର ଏକ ନକଲ ପାଇଁ ଆବେଦନ କରିବା ସହ ନୀଲମଙ୍କୁ ଭେଟିବା ନେଇ ଦିଲ୍ଲୀ ପୋଲିସର ଅନୁମତି ପାଇଁ କୋର୍ଟରେ ଆବେଦନ କରିଛନ୍ତି ।
ଆଇନଜୀବୀ ଆର.କେ ଓ୍ବାଦଓ୍ବା ଏବଂ ସୁରେଶ କୁମାର ଚୌଧୁରୀ ଏହି ମାମଲାରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାମ୍ବିଧାନିକ ଅଧିକାର ଅନୁଯାୟୀ ଅଭିଭାବକ ଏବଂ ଆଇନଜୀବୀଙ୍କୁ ଏଫଆଇଆର ଯୋଗାଇ ଦିଆଯିବା ଉଚିତ ଏବଂ ଏହା ନୀଲମଙ୍କ ସହ ସାକ୍ଷାତ କରିବାକୁ ଅନୁମତି ମିଳିବା ଆବଶ୍ୟକ ବୋଲି କହିଥିଲେ ଆଇନଜୀବୀ । ଆଡିସନାଲ ସେସନ ଜଜ ହରଦୀପ କୌର ଏହି ମାମଲାରେ ବିଚାର କରିବା ସହ ଆଗାମୀ ଶୁଣାଣି ପାଇଁ ଡିସେମ୍ବର 18 ତାରିଖ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ.. ସଂସଦ କାଣ୍ଡ: 6ଷ୍ଠ ଅଭିଯୁକ୍ତ ମହେଶକୁ 7ଦିନିଆ ରିମାଣ୍ଡରେ ନେଲା ପୋଲିସ
ତେବେ 15 ଡିସେମ୍ବର ଦିନ ଏନେଇ ପରିବାର ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ପରିବାର ଓ ଓକିଲ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି, "ଯେତେବେଳେ ପୋଲିସକୁ ଏଫଆଇଆର କପି ପାଇଁ ଓ ଅଭିଯୁକ୍ତମାନଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ମାଗିଥିଲୁ ସେତେବେଳେ ପୋଲିସ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଯେଉଁଥିପାଇଁ ଆମେ କୋର୍ଟର ଦ୍ବାରସ୍ଥ ହୋଇଛୁ ।"
ପ୍ରକାଶଯୋଗ୍ୟ, 13 ତାରିଖ(ବୁଧବାର) ଦିନ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦ ଭିତରେ ଓ ବାହାରେ ହଙ୍ଗାମା କରି ଗିରଫ ହୋଇଥିଲେ 4 ଜଣ । ସେମାନଙ୍କ ମଧ୍ୟରୁ ଗୃହ ଭିତରେ ପ୍ରବେଶ କରି କଲର ବୋମାମାଡ଼ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଲକ୍ଷ୍ନୌର ଶଙ୍କରଲାଲ ଶର୍ମାଙ୍କ ପୁଅ ସାଗର ଶର୍ମା ଓ ମହୀଶୂରର ଡି.ଦେବରାଜଙ୍କ 35 ବର୍ଷୀୟ ପୁଅ ଡି.ମନୋରଞ୍ଜନ ଭାବେ ଚିହ୍ନଟ ହୋଇଥିଲେ । ସେହିପରି ସଂସଦ ବାହାରେ ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ରହିଛନ୍ତି । ସେମାନେ ହେଲେ ହରିୟାଣାର ହିସାର ଜିଲ୍ଲାର 42 ବର୍ଷୀୟା ନିଲମ ଦେବୀ ଓ 25 ବର୍ଷୀୟ ଯୁବକ ଅମୋଲ ସିନ୍ଦେ । ତେବେ ସେମାନଙ୍କ ବିରୋଧରେ ୟୁଏପିଏ ଧାରାରେ ମାମଲା ରୁଜ୍ଜୁ କରି ପୋଲିସ ବିଭିନ୍ନ ଆତଙ୍କବାଦ ସମେତ ଅନ୍ୟାନ୍ୟ ଦିଗରୁ ତଦନ୍ତ ଜାରି ରଖିଛି ।ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 6 ଜଣଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ