ଇସଲାମାବାଦ: ପାକିସ୍ତାନରେ ଜାରି ରାଜନୈତିକ ସଙ୍କଟ ଆଜି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ରହିଥିବା ବେଳେ ଇମ୍ରାନଙ୍କୁ କଟାକ୍ଷ କରିଛନ୍ତି ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ (PML-N) ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ । ମରିୟମ କହିଛନ୍ତି, ଇମ୍ରାନ ଜଣେ ମାନସିକ ରୋଗୀ ‘Psychopath’। ପାକିସ୍ତାନକୁ ଦୁର୍ବଳ କରିଦେବା ପାଇଁ ତାଙ୍କୁ ଦେଶବାସୀ ଅନୁମତି ଦେବା ଆଦୌ ଉଚିତ ନୁହେଁ ।
ମରିୟମ ଟ୍ବିଟ କରିଛନ୍ତି ଯେ, ଇମ୍ରାନ ନିଜ ସଜ୍ଞା ହରାଇ ସାରିଛନ୍ତି । ତେଣୁ ଏପରି ସ୍ଥଳେ ତାଙ୍କୁ ଦେଶର ଶାସନ ଭାର ଦେବା ଆଦୌ ଉଚିତ ନୁହେଁ । ସେ ଦେଶକୁ ଦୁର୍ବଳ କରିବା ସହ ନିମ୍ନଗାମୀ କରିବା ପାଇଁ ସୁଯୋଗ ଦେବା ଉଚିତ ନୁହେଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ସେହିପରି ଇମ୍ରାନ ପ୍ରଧାନମନ୍ତ୍ରୀ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ ସମ୍ବୋଧିତ ହେବାର ଯୋଗ୍ୟ ନୁହନ୍ତି ବୋଲି କଡା ଭାଷାରେ ସମାଲୋଚନା କରିଛନ୍ତି ମାରିୟମ ।
ସୁପ୍ରିିମକୋର୍ଟଙ୍କ ଦ୍ବାରା ଅନାସ୍ଥା ଖାରଜ ନିଷ୍ପତ୍ତି ରଦ୍ଦ ହେବା ପରେ ଆଜି ପାଇଁ ପୁନଃ ଅନାସ୍ଥା ଭୋଟିଂ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଗୃହରେ ଅନାସ୍ଥା ଆଲୋଚନା ଜାରି ରହିଥିଲା ବେଳେ ଇମ୍ରାନ ନିଜେ ଗୃହରେ ଉପସ୍ଥିତ ନାହାନ୍ତି । ଯାହାକୁ ନେଇ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆଲୋଚନା ଜାରି ରହିଥିବା ବେଳେ ରାତି ପ୍ରାୟ 8ଟାରେ ଭୋଟିଂ ହେବା ନେଇ ଅନୁମାନ କରାଯାଉଛି ।
@ANI