ଚଣ୍ଡିଗଡ: ହରିୟାଣାର ଫରିଦାବାଦରେ ଚାଲିଛି ୩୫ତମ ଅନ୍ତର୍ଜାତୀୟ ସୁରଜକୁଣ୍ଡ ହସ୍ତଶିଳ୍ପ ମେଳା । ଏହି ମେଳାରେ ଦେଶର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଶିଳ୍ପୀ ଭାଗ ନେବା ସହ ନିଜର ଚିତ୍ରଶିଳ୍ପର କାରୁକାର୍ଯ୍ୟ ପ୍ରଦର୍ଶନ କରୁଛନ୍ତି । ତେବେ ଏହି କଳାକାରଙ୍କ ମଧ୍ୟରେ ଓଡିଶାରେ ଜଣେ କଳାକାର ଏଠାରେ ଦେଖାଇଛନ୍ତି ନିଜର କଳାର ଯାଦୁଗରୀ ।
ସେହିପରି ଏହି ହସ୍ତଶିଳ୍ପ ମେଳାରେ ସାମିଲ ହୋଇଥିବା ଓଡିଶାର କଟକ ଜିଲ୍ଲାର ଶୁଭ୍ରଜିତ୍ ଦେଖାଇଛନ୍ତି ନିଜର କଳାର ମାହାତ୍ମ୍ୟ । ତାଙ୍କ ଦ୍ବାରା କରାଯାଇଥିବା ହସ୍ତଶିଳ୍ପ ଏବେ ପୂରା ହସ୍ତଶିଳ୍ପ ମେଳାରେ ଚର୍ଚ୍ଚାର ବିଷୟ ହୋଇଛି । ଶୁଭ୍ରଜିତ ୫/୩ ଫୁଟରେ ତିଆରି କରିଛନ୍ତି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପଟ୍ଟଚିତ୍ର ।
ସେହିଭଳି ଏହାକୁ ଦେଖିବାଲାଗି ତାଙ୍କ ଦୋକାନ ନମ୍ବର ୧୦୩୨ରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ବେଳେ ଏହାକୁ କିଣିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ତେବେ ଏହି ପଟ୍ଟଚିତ୍ରରେ ସମ୍ପୂର୍ଣ୍ଣ ରାମାୟଣ ଥିବାବେଳେ ଏହାକୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ପ୍ରବଳ କୌତୁହଳ ଦେଖିବାକୁ ମିଳିଛି । ଏଥିସହ ସେ ଅନ୍ୟ ଭଗବାନଙ୍କ ସମ୍ବନ୍ଧିତ ପଟ୍ଟଚିତ୍ର ମଧ୍ୟ କରିବା ସହ ପ୍ରଭୁ ରାମଙ୍କର ଏହି ପଟ୍ଟଚିତ୍ରର ମୂଲ୍ୟ ୫୦ ହଜାର ରହିଥିବା ଶୁଭ୍ରଜିତ କହିଛନ୍ତି ।
ଅନ୍ୟପଟେ ଶୁଭ୍ରଜିତଙ୍କ କହିବା ଅନୁସାରେ, ସୂତା କପଡାକୁ ତେନ୍ତୁଳି ମଞ୍ଜି ଏବଂ ଚକ ପାଉଡର ସହିତ ମିଶାଇ ଏହି ସବୁ ପଟ୍ଟଚିତ୍ର ପ୍ରସ୍ତୁତ କରିଥାନ୍ତି । ଏହା ପରେ ଶୁଖାଯିବା ପରେ ପ୍ରାକୃତିକ ପଥର ସହ ରଙ୍ଗ ଦେଇ ଚିତ୍ର ଅଙ୍କା ଯାଇଥାଏ । ଏପଟେ ରାମାୟଣର ଏକ କାହାଣୀ ତିଆରି କରିବା ପାଇଁ ତାଙ୍କୁ ଦିଲ୍ଲୀର ହାଁଟ ହାଉସ ପକ୍ଷରୁ ପ୍ରାୟ ୧ ଲକ୍ଷ ୨୦ ହଜାର ଅଗ୍ରୀମ ଆକାରରେ ଟଙ୍କା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ