ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଆରୋହୀଜଣଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି (ବୁଧବାର) ରାତିରେ ଲକ୍ଷ୍ନୌ ଉପକଣ୍ଠ ତାଲକଟୋରା ଥାନା ଏରିଆରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ନିକଟରେ ଲାଗିଥିବା ଏକ ସିସିଟିଭିରେ ଦୁର୍ଘଟଣାର ଛାତିଥରା ଦୃଶ୍ୟ ରେକର୍ଡ ହୋଇଛି । ମୃତକ ହେଲମେଟ ପିନ୍ଧିନଥିବା ସ୍ଥାନୀୟ ବାସିନ୍ଦା ତଥା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।
ସ୍ଥାନୀୟ ଭରତପୁରୀ ବାସିନ୍ଦା ତଥା ରେଳବାଇ କର୍ମଚାରୀ ହରିଶ୍ଚନ୍ଦ୍ରଙ୍କ 18ବର୍ଷୀୟ ପୁଅ ଜୟ ଗତକାଲି (ଗୁରୁବାର) ରାତିରେ ତାଲକଟୋରାରେ ରହୁଥିବା ନିଜ ମାଉସୀ ଘରୁ ଏକ ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ତାଲକଟୋରା ଅଞ୍ଚଳରେ ଆଶିଷ ଆରୋରା ନାମକ ଜଣେ ସ୍କୁଟି ଆରୋହୀ ରାସ୍ତା ପାର ହେଉଥିଲେ । ଦୃତଗତିରେ ଥିବା ଜୟଙ୍କ ବାଇକଟି ଉକ୍ତ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଏଥିରେ ଉଭୟ କିଛି ମିଟର ପର୍ଯ୍ୟନ୍ତ ଛିଟିକି ପଡିଥିଲେ । ଆଶିଷ ସ୍କୁଟି ସହ ରାସ୍ତା କଡକୁ ପଡିଥିବା ବେଳେ ରାସ୍ତା ଉପରେ ବେଶ କିଛି ମଟର ମଧ୍ୟ ଛିଟିକି ପଡିଥିଲେ ଜୟ । ଭିଡିଓ ଅନୁସାରେ ସ୍କୁଟିଟି ରାସ୍ତା ପାର ହେଉଥିବା ବେଳେ ବାଇକ୍ଟି ଅତି ଦୃତ ବେଗରେ ଥିଲା । ଆଶିଷ ସ୍ଥାନୀୟ ଲୋକଙ୍କ ଦ୍ବାରା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଜୟ ହେଲମେଟ ପିନ୍ଧିନଥିଲ । କିଛି ଦୂର ପର୍ଯ୍ୟନ୍ତ ଛିଟିକି ପଡିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ହେଲମେଟ ପିନ୍ଧିଥିଲେ ତାଙ୍କୁ ହୁଏତ ବଞ୍ଚାଯାଇ ପାରିଥାନ୍ତା । ଅନ୍ୟଜଣେ ହେଲମେଟ ପିନ୍ଧିଥିବା କାରଣରୁ ଗମ୍ଭୀର ଭାବେ ଆହତ ହୋଇଥିଲେ ସୁଦ୍ଧା ବଞ୍ଚିଯାଇଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି । ନିକଟରେ ଲାଗିଥିବା ସିସିଟିଭିରେ ଏହି ଦୁର୍ଘଟଣାର ଦୃଶ୍ୟ ରେକର୍ଡ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତକ ଜୟ 10ମ ପାଠପଢା ଶେଷ କରିବା ପରେ ଘରେ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ