ନୂଆଦିଲ୍ଲୀ: ଗତକାଲିଠୁ (ବୁଧବାର) ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଯାଇଛି । ସଦ୍ୟତମ ଭାବେ ବ୍ୟବହାରିକ ଅନୁମତି ପାଇଥିବା ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଏହି ଡ୍ରାଇଭରେ ବ୍ୟବହାର ହୋଇଛି । ଏହି ଟୀକାକରଣର ପ୍ରଥମ ଦିନରେ ୨୩ ହଜାରୁ ଅଧିକ ପିଲା କୋର୍ବେଭ୍ୟାକ୍ସର ପ୍ରଥମ ଡୋଜ ଟିକା ନେଇଛନ୍ତି ।
କୋୱିନ ଆପ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା 12ରୁ 14 ବର୍ଷ ଭିତରେ ସମୁଦାୟ ୨୩ ହଜାର ୪୫୭ ଜଣ ଟିକା ନେଇଛନ୍ତି । ବର୍ଷ ୨୦୦୮, ୨୦୦୯ ଏବଂ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମିତ ପିଲା ଏହି ଟିକାର ଦୁଇଟି ଡୋଜ ନେଇଛନ୍ତି । ଉଭୟ ଡୋଜ ଟିକାର ବ୍ୟବଧାନ ୨୮ ଦିନ ରହିବ । ପ୍ରଥମେ କୋୱିନ ଅପରେ ନାମ ପଞ୍ଜିକରଣ କରି ପିଲାଏ ଟିକା ନେଇଛନ୍ତି । ୨୦୨୧ ମାର୍ଚ୍ଚ ୧ ସୁଦ୍ଧା ଦେଶରେ ଏହି ବୟସରେ ୪ କୋଟି ୭୦ ଲକ୍ଷ ପିଲା ରହିଛନ୍ତି । ଆଜି ବି ଏହି ଟୀକାକରଣ ପର୍ଯ୍ୟାୟ ଜାରି ରହିବ ।
ଗତବର୍ଷ ଜାନୁଆରୀ ୧୬ରେ ଦେଶବ୍ୟାପୀ କୋଭିଡ ଟୀକାକରଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ (HCWs) ଓ ଫେବୃଆରୀ ୨ ତାରିଖରେ ସମ୍ମୁଖ ଯୋଦ୍ଧା (FLWs)ଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସେହିପରି ବୟସ୍କ ତଥା ୪୫ ବର୍ଷରୁ ଊର୍ଦ୍ଧ୍ବ ବହୁବିଧ ରୋଗରେ ପୀଡିତଙ୍କୁ ମାର୍ଚ୍ଚ ପହିଲାରୁ ଟୀକାକରଣ ଡ୍ରାଇଭରେ ସାମିଲ କରାଯାଇଥିଲା । ଏପ୍ରିଲ ପହିଲାରୁ ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣରେ ସାମିଲ କରାଯାଇଥିଲା । ମେ’ ପହିଲାରୁ ଦେଶବ୍ୟାପୀ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ