ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶନ ଗତ ମାସ ୧୯ ତାରଖରୁ ଆରମ୍ଭ ହୋଇଯାଇଛି । ଯାହା ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ୧୯ ରୁ ୩୦ ପର୍ଯ୍ୟନ୍ତ ମୋଟ ୧୦୭ ଘଣ୍ଟା ସଂସଦୀୟ କାର୍ଯ୍ୟବାହୀ ସମୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୧୮ ଘଣ୍ଟା । ପାଖାପାଖି ୮୯ ଘଣ୍ଟା ସମୟ ହଟ୍ଟଗୋଳ ହଙ୍ଗାମାରେ ହୋଇଯାଇଛି ନଷ୍ଟ । ଅର୍ଥାତ କରଦାତାଙ୍କ ୧୩୩ କୋଟି ବିନା କାମରେ ହୋଇଛି ଖର୍ଚ୍ଚ ।
ସଂସଦର ମୌସୁମୀ ଅଧିବେଶନ ପ୍ରାରମ୍ଭରୁ କେନ୍ଦ୍ରୀୟ କୃଷି ଆଇନ, ପେଗାସସ ସ୍ପାଇୱେର, ମହାମାରୀ ମୁକାବିଲାରେ ବିଫଳତାକୁ ନେଇ ବିରୋଧୀ ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ସରକାର ମଧ୍ୟ ଏହି ସମସ୍ତ ମୁଦ୍ଦାରେ ବିରୋଧୀଙ୍କୁ ମନାଇବାରେ ବିଫଳ ହୋଇଛନ୍ତି । ଫଳରେ ସଂସଦ ଏକ ପ୍ରକାର ଅଚଳାବସ୍ଥାରେ ରହିଛି । ୨ ଦିନର ବିରତି ପରି ଆଜି ଠାରୁ ପୁଣି ଥରେ ବସିବ ସଂସଦର ଉଭୟ ସଦନ । ପୂର୍ବ ଦିନର ସ୍ଥିତି ଦେଖିଲେ ଆଜି ମଧ୍ୟ କଣ ହେବ ତାହା ସହଜେ ଅନୁମେୟ । ଏପରି ସ୍ଥଳେ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କିଭଳି ଆଲୋଚନା ହେବ ତାହା ଚିନ୍ତାଜନକ ।
ସେପଟ ସଂସଦକୁ ସ୍ବାଭାବିକ କରିବା ପାଇଁ ଗତ ୨ ଦିନ ତଳେ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂଙ୍କୁ ବିରୋଧୀଙ୍କ ସହ ଆଲୋଚନା କରିବା ପାଇଁ ଦାୟିତ୍ବ ଦେଇଛନ୍ତି । ରାଜନାଥ ମଧ୍ୟ ବିରୋଧୀ ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଲୋଚନା କଣ ହୋଇଛି ଫଳାଫଳ କଣ ହେବ ତାହା ଆଜି ସଂସଦରେ ପ୍ରତିଫଳନ ପରେ ସ୍ପଷ୍ଟ ହେବ ।
ଆଜି ଲୋକସଭାର କାର୍ଯ୍ୟବାହୀ...
ଆଜି(ସୋମବାର) ଲୋକସଭାରେ ସାଧାରଣ ବୀମା ବ୍ୟବସାୟ ସଂଶୋଧନ ବିଲ ଉପରେ ଆଲୋଚନା ହେବ । ଏହାବାଦ ଲୋକସଭାରେ କରୋନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଅରୁଣାଚଳ ଜନଜାତିଙ୍କ ପ୍ରସଙ୍ଗରେ ରଖିବେ ବିଲ । ସେହିପରି ଟ୍ରିବ୍ୟୁନାଲ ସଂସ୍କାର ସଂଶୋଧନ ବିଲ ମଧ୍ୟ ହେବ ଆଗତ ।
ବିରୋଧୀଙ୍କ ମୁଲତବୀ ନୋଟିସ ....
ସବୁଦିନ ପରେ ଆଜି ମଧ୍ୟ ଲୋକସଭାରେ ପେଗାସସ ପ୍ରଜେକ୍ଟକୁ ନେଇ ମିଡିଆ ରିପୋର୍ଟ ଆଧାରରେ ଆଲୋଚନା ପାଇଁ ମୁଲତବୀ ନୋଟିସ ଦେଇଛନ୍ତି କଂଗ୍ରେସ ସାଂସଦ ମନୀଷ ତିୱାରୀ । ସେହିପରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ପେଗାସସ ସମ୍ପର୍କରେ ଆଲୋଚନା ପାଇଁ ନୋଟିସ ଦେଲେ କଂଗ୍ରେସ ସାଂସଦ ମନିକମ ଟେଗାରୋ । ଏପରି ସ୍ଥଳେ ଆଜି ସଂସଦ ସ୍ବାଭାବିକ ହେଉଛି ନା ପୁଣି ହୁଲସ୍ତୁଲ ହେଉଛି ତାହାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ