ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରାୟ 80 ଟି ଆଇଫୋନ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ଦୁଇ ଅଭିଯୁକ୍ତ ସାରଜାରୁ ଆସିଥିବା ଜଣାପଡିଛି । ତେବେ ଦୁଇ ଅଭିଯୁକ୍ତଙ୍କୁ ବିମାନବନ୍ଦରରୁ ନେବା ପାଇଁ ଆସିଥିବା ଆଉ ଜଣେ ବ୍ୟକ୍ତିକୁ ମଧ୍ୟ ପୋଲିସ ହେପାଜତକୁ ନେଇଛି ।
ବିମାନବନ୍ଦରର ଲଗେଜ ଓ ବ୍ୟାଗ ଯାଞ୍ଚ ବିଭାଗରେ ଏପରି ଘଟଣା ସାମ୍ନାକୁ ଆସିଛି । କଷ୍ଟମ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିବା ବେଳେ ଏହି ଫୋନ ଗୁଡିକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି । କଷ୍ଟମ ବିଭାଗର ପ୍ରିନ୍ସିପାଲ ଜେ ଏସ ଚନ୍ଦ୍ର ଶେଖରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଟ୍ୟାକ୍ସ ଫାଙ୍କିବା ସହ ବେଆଇନ ପରିବହନ ମାମଲା ଆଧାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ଜବତ ହୋଇଥିବା ଆଇଫୋନ ମଡେଲ ମଧ୍ୟରେ ଆଇଫୋନ 12 ପ୍ରୋ, ଓ 12 ପ୍ରୋ-ମାକ୍ସ ଭଳି ଲକ୍ଷାଧିକ ମୂଲ୍ୟର ଏକାଧିକ ମଡେଲ ମଧ୍ୟଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଓ ଅନ୍ୟ ଜଣେ ସ୍ଥାନୀୟ ହାଇଦ୍ରାବାଦରୁ ବୋଲି ସୂଚନା ଦେଇଛି ପୋଲିସ । ଉଭୟଙ୍କ ନାମରେ କେସ ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ