ନୂଆଦିଲ୍ଲୀ: ଜାତୀୟ ରାଜଧାନୀସ୍ଥିତ ଗାଜିପୁରରେ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଥିବା ଚାଷୀଙ୍କ ନିକଟରେ ପହଞ୍ଚୁଛନ୍ତି ରାଜନେତା ଠୁ ଅଭିନେତା । ଏପରିକି ସମାଜସେବୀ ବିଦେଶୀ ମଧ୍ୟ ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ଜଣେ ଶିଳ୍ପୀ ଆନ୍ଦାେଳନରତ ଚାଷୀଙ୍କୁ ସମର୍ଥନ କରି କିଛି ନୂଆକରି ଦେଖାଇଛନ୍ତି ।
ଓଡିଶାର ମୂର୍ତ୍ତିକାର ମୁକ୍ତିକାନ୍ତ ଗାଜିପୁର ଚାଷୀଙ୍କ ଆନ୍ଦୋଳନ ସ୍ଥାନରେ ପହଞ୍ଚି ନିଜ କଳାକୁ ପ୍ରଦର୍ଶନ କରିଛନ୍ତି । ମୁକ୍ତିକାନ୍ତ ତାଙ୍କ ଚିତ୍ର ମାଧ୍ୟମରେ ଠିକା ଚାଷ ବାବଦରେ ସୂଚନା ଦେବାକୁ ଚେଷ୍ଟା କରିଛନ୍ତି । ସେ ଏଥିରେ 2ଟି ମୂର୍ତ୍ତି ତିଆରି କରିଛନ୍ତି, ଯେଉଁଥିରେ ଜଣେ ଉଦ୍ୟୋଗପତିଙ୍କୁ ଅଙ୍କନ କରାଯାଇ ଥିବାବେଳେ ଅନ୍ୟପଟେ ଚାଷୀ ହଳ କରୁଥିବାର ଦେଖିବାକୁ ମିଳିଛି ।
ତେବେ ମୁକ୍ତିକାନ୍ତଙ୍କୁ ଏହି ଦୁଇଟି ମୂର୍ତ୍ତି ନିର୍ମାଣ କରିବା ପାଇଁ 7 ଦିନ ସମୟ ଲାଗିଛି । ସେ ଏହି ଚିତ୍ର ମାଧ୍ୟମରେ ଚାଷୀଙ୍କୁ ଜଣାଇବାକୁ ଚାହିଁଛନ୍ତି ଯେ, ଚାଷୀ କିପରି ନିଜ ଜମିରେ କାମ କରିବ ଏବଂ ଉଦ୍ୟୋଗପତି ହିଁ ଏହାର ଫାଇଦା ଉଠାଇବ । ଉଦ୍ୟୋଗପତି ଏବଂ ଚାଷୀଙ୍କ ଚିତ୍ର ଅଙ୍କନ କରି ମୁକ୍ତିକାନ୍ତ କେବଳ ଆନ୍ଦୋଳନରତ ଚାଷୀଙ୍କୁ ନୁହେଁ ବରଂ ଦେଶର ସମସ୍ତ ଚାଷୀଙ୍କୁ ସଚେତନତାତ୍ମକ ବାର୍ତ୍ତା ଦେଇଛନ୍ତି । ତେବେ ମୁକ୍ତିକାନ୍ତ ସାଇକେଲ ଚଲାଇ ଚଲାଇ ଓଡିଶାରୁ ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ