ଅମରାବତୀ: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଜଣେ ଓଡ଼ିଆ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ୮ ବର୍ଷୀୟ ଏହି ନାବାଳକର ପରିବାର ଗୁଣ୍ଟୁରରେ ରହି ଗୁଜୁରାଣ ମେଣ୍ଟାନ୍ତି । ବାପା ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଛନ୍ତି । କିଛି ଦିନ ହେଲ ନାବାଳକ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହୁନଥିଲା ।
ଦୁଇ ସପ୍ତାହ ଧରି ସେ ଗୁଣ୍ଟୁର ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ଦେହରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଛି । ତାଙ୍କ ସ୍ବାବ୍ ଓ ଦେହରେ ସୃଷ୍ଟି ହୋଇଥିବା କ୍ଷତ ସ୍ଥାନର ନମୁନା ପୁନେସ୍ଥିତ ଭୀରୋଲୋଜୀ ବିଭାଗକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ହିଁ ନାବାଳକ ଜଣକ ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜଣା ପଡ଼ିବ ।
ସପେଟେ ନାବାଳକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଜୁଲାଇ ୨୮ ତାରିଖରେ ହାଇଦ୍ରାବାଦ୍ର ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ବତନ୍ତ୍ର ୱାର୍ଡରେ ତାଙ୍କ ଚିକିତ୍ସା କରାଯାଉଛି । ଡାକ୍ତରଙ୍କ ମୁତାବକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏହା ସହିତ ଆନ୍ଧ୍ର ପ୍ରଦେଶରେ ଏହା ଦ୍ବିତୀୟ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହୋଇଛି । ଏହାପୂର୍ବରୁ ଗତ ଜୁଲାଇ ୧୭ରେ ବିଜୟୱାଡ଼ାରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ ।