ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଛି ପଛୁଆ ବର୍ଗ (ଓବିସି) ସମ୍ବନ୍ଧିତ 'ସମ୍ବିଧାନର(127 ତମ ସଂଶୋଧନ) ବିଧେୟକ । ଏହି ବିଧେୟକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜ ଓବିସି ଲିଷ୍ଟ ପ୍ରସ୍ତୁତ କରିବାର ଦେବ ଅଧିକାର । ମତ ବିଭାଜନ (ଭୋଟିଂ) ଜରିଆରେ ଏହି ବିଧେୟକ ପାରିତ ହୋଇଛି । ଏହି ବିଲ୍ ସପକ୍ଷରେ ୩୮୫ ଭୋଟ ପଡିଥିବାବେଳେ ବିରୋଧରେ କୌଣସି ମତଦାନ ହୋଇନି ।
ବିଧେୟକ ପାରିତ ହେବା ପୂର୍ବରୁ ଏହା ଉପରେ ବ୍ୟାପକ ଚର୍ଚ୍ଚା ହୋଇଥିଲା । ଚର୍ଚ୍ଚା ସମୟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ବିଲ୍ ଆସିବା ପରେ ରାଜ୍ୟ ସରକାରଙ୍କୁ ଓବିସି ଲିଷ୍ଟ୍ ପ୍ରସ୍ତୁତ କରିବାର ଅଧିକାର ମିଳିଯିବ । ଏହାଫଳରେ ମରାଠା ସଂରକ୍ଷଣ ଭଳି ମାମଲାରେ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାରେ ସ୍ବତନ୍ତ୍ରତା ମିଳିବ ।
କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହି ବିଧେୟକର ସମର୍ଥନ କରିଛନ୍ତି । ଏହାସହିତ ସଂରକ୍ଷଣର ସୀମା ୫୦ ପ୍ରତିଶତରୁ ବୃଦ୍ଧି କରିବା ପାଇଁ ମଧ୍ୟ ସଂସଦରେ ଦାବି ଉପସ୍ଥାପନ ହୋଇଥିଲା । ଏହି ଅଧିବେଶନରେ ଆଜି ପ୍ରଥମ ଏଭଳି ଦିନ ରହିଥିଲା, ଯେଉଁଠି କୌଣସି ବିଧେୟକ ଉପରେ ଶାନ୍ତିପୂର୍ଣ୍ଣ ଚର୍ଚ୍ଚା ହୋଇଛି । ସମସ୍ତ ବିରୋଧୀ ଓବିସି ସହ ଜଡିତ ଏହି ବିଲ୍ର ସମର୍ଥନ କରିଛନ୍ତି ।
ଲୋକସଭାରେ 127 ତମ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ଏକ ବଡ ପଦକ୍ଷେପ କୁହାଯାଇପାରେ । ଏହି ବିଲ୍ ରାଜ୍ୟମାନଙ୍କୁ ନିଜସ୍ବ ପଛୁଆବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାକୁ ଅଧିକାର ଦେବ । କିଛି ଦିନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା ।
ବିଲ ଉପରେ ସୁପ୍ରିମକୋର୍ଟ ଲଗାଇଥିଲେ ରୋକ । ଏହି ବିଲ୍କୁ ନେଇ ଅନେକ ଦ୍ବନ୍ଦ ବିବାଦ ଉପୁଜିଥିଲା । କିନ୍ତୁ କେନ୍ଦ୍ର ସରାକର ନିଜର କ୍ଷମତା ବ୍ୟବହାର କରି ଆଧ୍ୟାଦେଶ ଆଣି ବିଲକୁ କ୍ୟାବିନେଟର ମଞ୍ଜୁରୀ ଦେଇଥିଲେ । କାରଣ ସୁପ୍ରିମକୋର୍ଟ ଏହି ବିଲକୁ ମେ’ ୫ ରେ ରୋକ ଲଗାଇଥିଲେ । ଏପରିକି ଗତ ମାସରେ ସରକାରଙ୍କ ସମୀକ୍ଷା ଯାଚିକାକୁ ମଧ୍ୟ ଖାରଜ କରିଥିଲେ । ତେବେ ଯଦି ବିଲ୍ ଆଇନରେ ପରିଣତ ହେଲେ ଏହା ଦେଶର ପଛୁଆବର୍ଗଙ୍କ ପାଇଁ ବଡ ସଫଳତା ହେବ ।