ଆଲେଖ୍ୟ:- ଡଃ.ରାବେଲା ଭାନୁ କ୍ରିଷ୍ଣା କିରଣ
ହାଇଦ୍ରାବାଦ: 8 ରାଜ୍ୟ (ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରା)କୁ ନେଇ ଗଠିତ ଭାରତର ଉତ୍ତର-ପୂର୍ବାଞ୍ଚଳ (NER) ସ୍ବାଧୀନତା ପରବର୍ତ୍ତୀ ସମୟରେ ଏକାଧିକ ସଶସ୍ତ୍ର ଉଗ୍ରବାଦକୁ ଜନ୍ମ ଦେଇଛି । ଯାହାକି ଏହି କ୍ଷେତ୍ରରେ ପ୍ରବଳ ହିଂସା ଓ ଅସ୍ଥିରତାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି । 2014 ମସିହା ପରେ ଏହି କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାରେ ବହୁମାତ୍ରାରେ ସୁଧାର ମଧ୍ୟ ଆସିଛି । କେନ୍ଦ୍ର ଗୃହବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ମିଜୋରାମ, ତ୍ରିପୁରା ଓ ସିକ୍କିମରେ ପ୍ରାୟତଃ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସରକାରୀ ତଥ୍ୟ ଅନୁସାରେ, ବର୍ଷ 2004 ରୁ 2014 ମଧ୍ୟରେ ଏହି କ୍ଷେତ୍ରରେ ମୋଟ 11 ହଜାର 121 ଟି ହିଂସା ଘଟଣା ସାମ୍ନାକୁ ଆସିଥିଲା । ମାତ୍ର 2014 ରୁ 2023 ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ମାତ୍ର 3,033 ଟି ଉଗ୍ରବାଦ ଘଟଣା ସାମ୍ନାକୁ ଆସିଛି । ଯାହା ପୂର୍ବ ସଂଖ୍ୟା ତୂଳନାରେ ପ୍ରାୟ 73 ପ୍ରତିଶତ କମ୍ ।
ଏବେ ଉତ୍ତର-ପୂର୍ବରେ ଉଗ୍ରବାଦ ହ୍ରାସ କରିବା ପାଇଁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ ପୋଲିସ ଦ୍ୱାରା ଆତଙ୍କବାଦ ବିରୋଧୀ ମିଶନକୁ ବ୍ୟାପକ କରିବା ସହିତ ଭାରତ ସରକାର ଏକ ମିଶ୍ରିତ ନୀତି ମଧ୍ୟ ଅନୁସରଣ କରୁଛନ୍ତି । ହିଂସା ତ୍ୟାଗ କରୁଥିବା ତଥା ସାମ୍ବିଧାନିକ ଢାଞ୍ଚାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସରକାର ବିଦ୍ରୋହୀ ଗୋଷ୍ଠୀମାନଙ୍କ ସହ ଆଲୋଚନା ନୀତି ମଧ୍ୟ ଆପଣେଇଛନ୍ତି । ଏହା ଅନେକାଂଶରେ ସଫଳ ମଧ୍ୟ ହୋଇଛି । ସେହି ନୀତି ଅନୁସାରେ, ଅନେକ ବିଦ୍ରୋହୀ ଗୋଷ୍ଠୀ ଭାରତ ସରକାରଙ୍କ ସହ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଗେଇ ଆସିଥିବାର ନିକଟ ଅତୀତରେ ନଜରି ମଧ୍ୟ ରହିଛି ।
2014 ପରଠାରୁ, ଭାରତ ସରକାର 9ଟି ଉଗ୍ରବାଦ ସଂଗଠନ ଓ ସୀମା ବିବାଦ ସମ୍ପର୍କିତ ପ୍ରସଙ୍ଗରେ ଚୁକ୍ତିନାମା ସ୍ବାକ୍ଷର କରିସାରିଛନ୍ତି । ଯାହା ଉକ୍ତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥିତିରେ ସୁଧାର ଆଣିବାରେ ବହୁମାତ୍ରାରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଗତବର୍ଷ (2023) ଡିସେମ୍ବର 29 ତାରିଖରେ ଭାରତ ସରକାର, ଆସାମ ସରକାର ଓ ଆସାମର ବହୁ ପୁରାତନ ଉଗ୍ରବାଦୀ ସଂଗଠନ (ଉଲଫା) (ରାଜଖ୍ବାଓ୍ବା ନେତୃତ୍ବାଧୀନ ଗୋଷ୍ଠୀ ) ମଧ୍ୟରେ ତ୍ରୈପାକ୍ଷିକ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହେବାରେ ସଫଳତା ମିଳିଛି । ସେହିପରି 2023 ଶେଷ ଭାଗରେ ମଣିପୁରରେ ଗତ 6 ଦଶନ୍ଧି ଧରି ପ୍ରଭାବୀ ଥିବା ଉପତ୍ୟାକା ଉଗ୍ରବାଦୀ ସଂଗଠନ ‘UNLF’ ମଧ୍ୟ ଶାନ୍ତିଚୁକ୍ତିରେ ସ୍ବାକ୍ଷରିତ କରିଛି । ସେମାନେ ସଶସ୍ତ୍ର ବିଦ୍ରୋହ ଛାଡି ଭାରତୀୟ ସମ୍ବିଧାନରେ ବିଶ୍ବାସ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧରେ କାମ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ।
ଶାନ୍ତିଚୁକ୍ତି ପ୍ରକ୍ରିୟା ସତ୍ତ୍ବେ ମଧ୍ୟ ଉତ୍ତର-ପୂର୍ବରେ ଅନେକ ପ୍ରତିବନ୍ଧକ ରହିଛି । କିଛି ବିଦ୍ରୋହୀ ଗୋଷ୍ଠୀମାନେ ଭାରତର ଅଖଣ୍ଡତା ବିରୋଧରେ ବିଦ୍ରୋହ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଅନ୍ୟତମ ଉତ୍ତର ପୂର୍ବ ରାଜ୍ୟ ଆସାମ ବିଦ୍ରୋହର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କାରଣ ULFA (ପରେଶ ବରୁଆ ନେତୃତ୍ବାଧୀନ ଗୋଷ୍ଠୀ) ସାର୍ବଭୌମ ଆସାମର ଦାବି ସହ ସରକାରଙ୍କ ଶାନ୍ତି ଚୁକ୍ତିନାମାର ଅଂଶ ହେବାରୁ ବିରତ ରହିଛି । ଏହି ଗୋଷ୍ଠୀ ସଶସ୍ତ୍ର ସଂଗ୍ରାମ ଜାରି ରଖିବା ପାଇଁ ସୀମା ସଲଗ୍ନ ମିଆଁମାର ଅଞ୍ଚଳକୁ ଆଧାର ଭାବେ ବ୍ୟବହାର ଜାରି ରଖିଛି । ଅନ୍ୟଦୁଇ ଉଗ୍ରବାଦୀ ସଂଗଠନ ‘ବୋଡୋ’ ଓ ‘କାର୍ବି’ କ୍ଷେତ୍ରରେ ଯଦିଓ ଚୁକ୍ତିନାମାରେ ସାମିଲ ହୋଇଛନ୍ତି, ତଥାପି ଏହି ଗୋଷ୍ଠୀଗୁଡିକ ବୋଡୋଲାଣ୍ଡ ଭାବେ ଏକ ପୃଥକ ରାଜ୍ୟ ତଥା ଭାରତୀୟ ସମ୍ବିଧାନର ଧାରା 244-A ଅନୁଯାୟୀ କାର୍ବିସଙ୍କ ପାଇଁ ଏକ ସ୍ବୟଂଶାସିତ ରାଜ୍ୟ ଦାବି କରୁଛନ୍ତି । ତେଣୁ ଏହି ପରିସ୍ଥିତିରୁ ଏହା ସ୍ପଷ୍ଟ ଯେ, ଆସାମରେ ଆଗାମି ଦିନରେ ହିଂସାତ୍ମକ ଆନ୍ଦୋଳନର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ଯଦିଓ ଉତ୍ତର-ପୂର୍ବାଞ୍ଚଳ (NER) ରେ ସଶସ୍ତ୍ର ବିଦ୍ରୋହ ଓ ଉଗ୍ରବାଦ ସମ୍ବନ୍ଧୀୟ ଘଟଣା ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ରେକର୍ଡ ହୋଇଛି, ତଥାପି ନାଗାଲାଣ୍ଡର ପରିସ୍ଥିତି ଏବେ ମଧ୍ୟ ଚିନ୍ତାଜନକ ରହିଛି । ନାଗାଲାଣ୍ଡର ‘ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ ନାଗାଲାଣ୍ଡ’ NSCN (IM) ସହ ଭାରତ 1997 ମସିହା ଅଗଷ୍ଟ ପହିଲାରେ ଏକ ଶାନ୍ତିଚୁକ୍ତି ସ୍ୱାକ୍ଷର କରିଥିଲା । କିନ୍ତୁ ଏହି ଚୁକ୍ତିକୁ ଦୀର୍ଘ 70 ବର୍ଷ ବିତିଥିଲେ ସୁଦ୍ଧା ନାଗା ବିଦ୍ରୋହକୁ ଶେଷ କରିବା ପାଇଁ ଅନ୍ତିମ ସମାଧାନ ବାହାର କରାଯାଇପାରିନି । ନାଗାମାନଙ୍କ ପାଇଁ ପୃଥକ ପତାକା ଓ ପୃଥକ ସମ୍ବିଧାନର ଦାବି ଉପରେ ଭାରତ ସରକାର ଓ NSCN (IM) ମଧ୍ୟରେ ବିବାଦ ଏବେ ବି ଲାଗି ରହିଛି । 7 ଟି ନାଗା ବିଦ୍ରୋହୀ ଗୋଷ୍ଠୀର ଏକ ସମ୍ମିଳିତ ଫୋରମ ‘ନାଗା ଜାତୀୟ ରାଜନୈତିକ ଗୋଷ୍ଠୀ’ (NNPG) ଏହି ଦାବିରୁ ହଟିବା ପାଇଁ ଆଦୌ ପ୍ରସ୍ତୁତ ନାହିଁ । କିନ୍ତୁ NSCN (IM) ନାଗା ପତାକା ଓ ସମ୍ବିଧାନର ସ୍ୱୀକୃତି ବିନା ସରକାରଙ୍କ ଚୂଡ଼ାନ୍ତ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ମନା କରିଦେଇଛି । ଯାହା ଶାନ୍ତିଚୁକ୍ତିକୁ ବ୍ୟାଘାତ କରିଛି ।
ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଓ ସ୍ଥିରତା ଭାରତ ପାଇଁ ଦୁଇଟି ପ୍ରମୁଖ କାରଣରୁ ଅତି ଜରୁରୀ । ପ୍ରଥମଟି ହେଉଛି ସମଗ୍ର ଉତ୍ତର-ପୂର୍ବରୁ ମୂଳ ଭାରତୀୟ ଭୂଖଣ୍ଡ ସହ ଯୋଡୁଥିବା ପଶ୍ଚିମବଙ୍ଗର ‘ସିଲିଗୁଡି କରିଡର’ ବା ‘ଚିକେନ ନେକ’ କରିଡର । 21 କି.ମି ଓ 40 କିଲୋମିଟର ଲମ୍ବ ଓ ପ୍ରସ୍ଥ ଥିବା ସିଲିଗୁରି କରିଡରକୁ ବିଦ୍ରୋହୀ ଗୋଷ୍ଠୀମାନେ ସେମାନଙ୍କର ବିଦ୍ରୋହୀ ଆନ୍ଦୋଳନ ପାଇଁ ସହଜରେ ବ୍ୟବହାର ମଧ୍ୟ କରିପାରନ୍ତି । ଦ୍ୱିତୀୟତଃ ଏହି କ୍ଷେତ୍ର ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ଦ୍ୱାର ମଧ୍ୟ । କାରଣ ଏହା ଚୀନ, ବାଂଲାଦେଶ, ଭୁଟାନ, ମିଆଁମାର ଓ ନେପାଳ ସହିତ 5,484 କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା ସଲଗ୍ନ ମଧ୍ୟ ରହିଛି । ଯାହା ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ।
ଏହାପୂର୍ବରୁ ଏହି ଅଞ୍ଚଳରେ ସକ୍ରିୟ ଥିବା ଅନେକ ବିଦ୍ରୋହୀ ସଂଗଠନ ଭୁଟାନ, ବାଂଲାଦେଶ ଓ ମିଆଁମାରକୁ ସେମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିଆସିଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ବରିଷ୍ଠ ବିଦ୍ରୋହୀ ନେତା ସେଠାରେ ଆତ୍ମଗୋପନ କରି ଉଗ୍ରବାଦ କାର୍ଯ୍ୟ ଜାରି ରଖିଛନ୍ତି । 2003 ରେ ଭୁଟାନରେ ସକ୍ରିୟ ଥିବା ଉଗ୍ରବାଦୀ କ୍ୟାମ୍ପ ଓ ଟ୍ରେନିଂ କ୍ୟାମ୍ପକୁ ନଷ୍ଟ କରିବା ପାଇଁ ଭୁଟାନ ଏକ ସାମରିକ ମିଶନ 'ଅପରେସନ୍ ଅଲ-କ୍ଲିଅର୍' ଆରମ୍ଭ କରିବା ପରେ ଏବେ ପରିସ୍ଥିତି ସାମାନ୍ୟ ବଦଳିଛି ।
2009 ମସିହାରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାକୁ ଆସିବା ପରେ ଉଗ୍ରବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଏହି ଘଟଣାକ୍ରମରେ ଟପ ବିଦ୍ରୋହୀ ନେତା ଅନୁପ ଚେତିଆ ଓ ଅରବିନ୍ଦ ରାଜକୋୱାଙ୍କୁ ବାଂଲାଦେଶ ଗିରଫ କରି ଭାରତକୁ ହସ୍ତାନ୍ତର କରିଥିଲା । 2019 ରେ, ଭାରତୀୟ ସେନା ଏବଂ ମିଆଁମାର ସେନା ଦ୍ବାରା କରାଯାଇଥିବା ମିଳିତ ଅପରେସନ୍ ‘ସୂର୍ଯ୍ୟୋଦୟ’ ଅନେକ ଉଗ୍ରବାଦୀ ସଂଗଠନ କ୍ୟାମ୍ପକୁ ଟାର୍ଗେଟ କରାଯାଇଥିଲା । ଚୀନ ମଧ୍ୟ ULFA ର ଟପ ଉଗ୍ରବାଦୀ ପରେଶ ବରୁଆଙ୍କୁ ଆଶ୍ରୟ ଦେଇଛି ଓ ତାଙ୍କ ଗୋଷ୍ଠୀକୁ ମଧ୍ୟ ଅସ୍ତ୍ର ମଧ୍ୟ ଯୋଗାଇ ଉତ୍ତର-ପୂର୍ବକୁ ଅଶାନ୍ତ କରିବା କାର୍ଯ୍ୟ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ :- ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ଲୋଗୋ ଓ ସ୍ଲୋଗାନ ଉନ୍ମୋଚିତ କଲା କଂଗ୍ରେସ
ବଙ୍ଗୋପସାଗର ସହିତ ସଲଗ୍ନ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ଅବସ୍ଥିତ ଉତ୍ତର-ପୂର୍ବାଞ୍ଚଳ ଏକ ପ୍ରମୁଖ ରଣନୈତିକ ଭୌଗୋଳିକ ଅବସ୍ଥାନ ଭାବେ ଭୂମିକା ନିର୍ବାହ କରେ । ଅନ୍ତର୍ଜାତୀୟ ସହଯୋଗ ସହିତ ବିକାଶ ଓ ଅର୍ଥନୈତିକ ସୁଯୋଗକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏହାର ବଡ ଭୂମିକା ରହିଛି । 2014 ରେ ଏସିଆ ଓ ଅନ୍ୟ ପୂର୍ବ-ଏସୀୟ ଦେଶଗୁଡିକ ସହିତ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଭାରତ ସରକାର ‘ଆକ୍ଟ ଇଷ୍ଟ ପଲିସି’ ଆରମ୍ଭ କରିଥିଲା । 2017 ରେ, ଜାପାନ ଓ ଭାରତ ସରକାର ଏହି ଅଞ୍ଚଳରେ ବିକାଶ ଦିଗରେ ପ୍ରୟାସକୁ ଗୁରୁତ୍ୱ ଦେବା ପାଇଁ ଆକ୍ଟ ଇଷ୍ଟ ଫୋରମ୍ ଆରମ୍ଭ କରିଥିଲେ । ମାର୍ଚ୍ଚ 2023 ରେ ଜାପାନ ଦ୍ୱାରା FOIP ଇନିସିଏଟିଭି ଗ୍ରହଣ କରାଯାଇଥିଲା । ଯାହା ମୁଖ୍ୟତଃ ଭାରତ-ପ୍ରଶାନ୍ତ ମହାସାଗରରେ ସ୍ଥିରତା ଓ ସମୃଦ୍ଧତା ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଥିଲା । ଭାରତ-ଜାପାନ-ଅଷ୍ଟ୍ରେଲିଆ ମଧ୍ୟରେ ତ୍ରିପାକ୍ଷିକ ସହଯୋଗରେ ଉତ୍ତର ପୂର୍ବାଞ୍ଚଳ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ କାର୍ଯ୍ୟକ୍ଷମ ହାତକୁ ନିଆଗଲା । ମଲ୍ଟି-ସେକ୍ଟରାଲ୍ ବୈଷୟିକ ଓ ଅର୍ଥନୈତିକ ସହଯୋଗ ପାଇଁ ବେ-ଅଫ-ବେଙ୍ଗଲ ଇନିସିଏଟିଭ (BIMSTEC) ମଧ୍ୟ ଆରମ୍ଭ କରାଗଲା ।
କେବଳ ଭାରତର ‘ଇଷ୍ଟ ଆକ୍ଟ’ ନୀତି ପାଇଁ ଉତ୍ତର ପୂର୍ବାଞ୍ଚଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଉଭୟ ପାଶ୍ଚାତ୍ୟ ଓ ପୂର୍ବ ଦେଶମାନଙ୍କ ସହ ଭାରତର ସହଭାଗୀତାକୁ ଆହୁରି ବ୍ୟାପକ କରିବା ପାଇଁ ଏହା ପ୍ରଭାବୀ ଭୂମିକା ଗ୍ରହଣ କରିବ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କ୍ଷେତ୍ରରେ ଉଗ୍ରବାଦ ଓ ସଶସ୍ତ୍ର ବିଦ୍ରୋହ ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହା ଲେଖକଙ୍କର ନିଜସ୍ବ ମତ
ଆଲେଖ୍ୟ:- ଡଃ.ରାବେଲା ଭାନୁ କ୍ରିଷ୍ଣା କିରଣ