ଅମରାବତୀ: ଟିକା ନ ନେଲେ ମିଳିବ ନାହିଁ ଦରମା । ଏପରି କିଛି ନିର୍ଦ୍ଦେଶ ଜାରି ହୋଇଥିବା ଦେଖିବାକୁ ମିଳିଛି ଦକ୍ଷିଣ ଭାରତର ଅନ୍ୟତମ ପ୍ରସିଦ୍ଧ ମନ୍ଦିର ତିରୁପତିରେ । ମନ୍ଦିରର ପରିଚାଳନା ବୋର୍ଡ ତିରୁମାଲା ତିରୁପତି ଦେବସ୍ଥାନମ (TTD) ନିଜର ସମସ୍ତ କର୍ମଚାରୀଙ୍କ ପାଇଁ ଟୀକାକରଣ ବାଧ୍ୟତମୂଳକ କରିଥିବାବେଳେ ନିୟମ ଖିଲାପକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି ।
![ତିରୁପତି ମନ୍ଦିର ପ୍ରଶାସନର ନିର୍ଦ୍ଦେଶ, ଟିକା ନ ନେଲେ କର୍ମଚାରୀଙ୍କୁ ମିଳିବନି ଦରମା](https://etvbharatimages.akamaized.net/etvbharat/prod-images/ap-tpt-26-01-ttd-eo-on-covid-vaccin-av-ap10014_01072021081852_0107f_1625107732_572_0107newsroom_1625134755_880.jpg)
ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଯଦି ଜଣେ କର୍ମଚାରୀ ଟିକା ନ ନିଅନ୍ତି, ତେବେ ତାଙ୍କ ବିରୋଧରେ ଟ୍ରଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଦରମା ବନ୍ଦ କରାଯିବ । ଏନେଇ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଜବାହର ରେଡ୍ଡୀ ନୋଟିସ ଜାରି କରିଛନ୍ତି ।
ଜାରି ହୋଇଥିବା ନୋଟିସରେ କୁହାଯାଇଛି ଟିକା ନେବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି । ମନ୍ଦିର ପରିଚାଳନା ବୋର୍ଡରେ କାର୍ଯ୍ୟରତ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସମେତ ଆଗଧାଡିର କର୍ମଚାରୀଙ୍କୁ ଜୁଲାଇ 7 ତାରିଖ ପୂର୍ବରୁ ଟିକା ନେବା ପାଇଁ ଡେଡଲଇନ ଦିଆଯାଇଥିଲା । ସେମାନେ ଟିକା ନେବା ପରେ 8 ତାରିଖରେ ଟିକାର ବିଲ ମନ୍ଦିର ପରିଚାଳନା ବୋର୍ଡ ନିକଟରେ ଦାଖଲ କରିବେ । ପରେ ଉକ୍ତ ଖର୍ଚ୍ଚ ବୋର୍ଡ ଦ୍ବାରା ବହନ କରାଯିବା ନେଇ ମଧ୍ୟ ନୋଟିସରେ କୁହାଯାଇଛି । ତେବେ ଯେଉଁ କର୍ମଚାରୀ ଏହି ନିୟମ ପାଳନ କରିବେ ନାହିଁ ତାଙ୍କ ଦରମା ବନ୍ଦ କରିବ ମନ୍ଦିର ପ୍ରଶାସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ