ବେଙ୍ଗାଲୁରୁ: ଭାରତୀୟ ଦୂତାବାସର କାର୍ଯ୍ୟକାରୀତା ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୋଗ କଲେ ୟୁକ୍ରେନରେ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ଛାତ୍ରଙ୍କ ପିତା । ନିହତ ଛାତ୍ର ନବୀନଙ୍କ ପିତା କହିଛନ୍ତି, ଖାର୍କିଭରେ ଆକ୍ରମଣ ବଢିବା ପରେ ସେଠାରେ ଥିବା ଛାତ୍ରଛାତ୍ରୀ ଏକ ବଙ୍କରରେ ଆଶ୍ରୟ ନେଇଥିଲେ । ଫସି ରହିଥିବା ଛାତ୍ରଙ୍କ ନିକଟରେ ଭାରତୀୟ ଦୂତାବାସର କେହି ଅଧିକାରୀ ପହଞ୍ଚି ନଥିଲେ ।
ଛାତ୍ରମାନେ ଆଶ୍ରୟ ନେଇଥିବା ବଙ୍କରରେ ଖାଦ୍ୟ, ପାଣି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ନଥିଲା । ସେମାନେ ମୁଦ୍ରା ବିନିମୟ ଓ ଖାଦ୍ୟ କିଣିବା ପାଇଁ ବଙ୍କରରୁ ବାହାରି ଥିବାବେଳେ ଏପରି ଆକ୍ରମଣର ଶିକାର ହୋଇଥିଲେ, ଯେଉଁଥିର ନବୀନଙ୍କ ମୃତ୍ୟୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନବୀନ ଖାର୍କିଭ ମେଡିକାଲ କଲେଜର ୪ର୍ଥ ବର୍ଷର ଛାତ୍ର ଥିଲେ । ତେବେ ସଙ୍କଟ ଆରମ୍ଭ ହେବା ପରେ ସେ ଫେରିବାକୁ ଚାହିଁଥିଲେ ସୁଦ୍ଧା ଫେରି ପାରିନଥିଲେ । ସ୍ଥିତି ଗମ୍ଭୀର ହେବା ସହର ଉପରେ ଆକ୍ରମଣ ଆରମ୍ଭ ହେବାରୁ ସେମାନେ ଏକ ବଙ୍କରରେ ଆଶ୍ରୟ ନେଇଥିଲେ । ମଙ୍ଗଳବାର ସକାଳେ ନବୀନ ଫୋନ ଯୋଗେ ପରିବାର ସଦସ୍ୟଙ୍କ ସହ କଥା ହେବା ସହ ସେଠାରେ ସ୍ଥିତି ସାଙ୍ଘାତିକ ବୋଲି କହିଥିଲେ । ସେଠାରେ ପାଣି ଓ ଖାଦ୍ୟର ଘୋର ସଙ୍କଟ ଲାଗି ରହିଛି, ଓ ଦୂତାବାସ ପକ୍ଷରୁ ତାଙ୍କୁ କେହି ଯୋଗାଯୋଗ କରିନାହାନ୍ତି ବୋଲି ନବୀନ ପରିବାର ସଦସ୍ୟଙ୍କୁ ଜଣାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।
ତେବେ ଆଜି ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଦେଶରେ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ମୃତ ନବୀନଙ୍କ ପିତାଙ୍କ ସହ ଫୋନରେ କଥା ହୋଇ ସମବେଦନା ଜଣାଇଛନ୍ତି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବାର ସଦସ୍ୟଙ୍କୁ ଭେଟି ସାନ୍ତ୍ବନା ଦେବା ସହ ମୃତଦେହ ଫେରାଇଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ନବୀନଙ୍କ ପିତା ମଧ୍ୟ ପୁଅର ମୃତଦେହ ଭାରତ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ