ହାଇଦ୍ରାବାଦ: ତେଲେଙ୍ଗାନାରେ ବର୍ତ୍ତମାନ ପରିସ୍ଥିତିରେ ଲକଡାଉନ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି । ତେବେ ଲକଡାଉନ ଲାଗୁ ହେବା ପରେ ରାଜ୍ୟର ଅର୍ଥନୀତି ଦୁର୍ବଳ ହେବା ସହିତ ସାଧାରଣ ଲୋକ ଗଭୀର ଭାବରେ ପ୍ରଭାବିତ ହେବେ ।
ଦେଶରେ କୋରୋନାର ଦ୍ବିତୀୟ ଲହରୀ ସଂକ୍ରମଣରେ ଲାଗୁନାହିଁ ବ୍ରେକ । ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ଏଥିଲାଗି ଦେଶରେ ଅନେକ ରାଜ୍ୟରେ ଲାଗୁ ହେଉଛି ସଟଡାଉନ, ଲକଡାଉନ । ତେବେ ତେଲେଙ୍ଗାନାରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏପ୍ରିଲ 20 ତାରିଖରୁ ମେ 1 ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । କିନ୍ତୁ ରାଜ୍ୟର ଅର୍ଥନୀତି କୋରୋନା ପାଇଁ ଭାଙ୍ଗି ପଡିଥିବାରୁ ଲକଡାଉନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିନାହାନ୍ତି ।
ତେବେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଲକଡାଉନ ଲାଗୁ ହେବା ପରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇନଥିବା ଦେଖିବାକୁ ମିଳିଛି । ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ରାଓ ତେଲେଙ୍ଗାନାରେ ଲକଡାଉନ ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ରାଜ୍ୟରୁ ପ୍ରାୟ 25ରୁ 30 ଲକ୍ଷ ଲୋକ ତେଲେଙ୍ଗାନାରେ କାମ କରୁଛନ୍ତି । ଲକଡାଉନ ଲାଗୁ କଲେ ସେମାନଙ୍କ ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆବଶ୍ୟକୀୟ ସାମଗ୍ରୀ ସମେତ ଟିକା, ଅକ୍ସିଜେନ ଓ ରେମଡେସିଭିର ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା କରିଛନ୍ତି । ବର୍ତ୍ତମାନ ରାଜ୍ୟରେ 4900 ରେମଡେସିଭିର ରହିଥିବା ବେଳେ ଏହାକୁ 25 ହଜାରକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
@ANI