ନୂଆଦିଲ୍ଲୀ: ରେଳବାଇ ଟିକେଟକୁ ନେଇ ପ୍ରକାଶ ପାଉଥିବା ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛି ରେଳ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି । ଏହି ରିପୋର୍ଟ ଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କରିବାକୁ ପଡିବ ।
ରେଳ ମନ୍ତ୍ରଣାଳୟ କହିଛି, ‘ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏହି ଖବର ବିଭ୍ରାନ୍ତିକର ଅଟେ । ରେଳ ମନ୍ତ୍ରଣାଳୟ କହିଛି ଟ୍ରେନରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣିନାହିଁ । ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ କିଣିବା ପାଇଁ ଏବଂ ୫ ବର୍ଷରୁ କମ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆଯାଇଛି । ଯଦି ସେମାନେ ଏକ ପୃଥକ ବର୍ଥ ଚାହୁଁନାହାନ୍ତି, ତେବେ ଏହା ମାଗଣା ରହିଛି, ଯାହା ପୂର୍ବରୁ ରହି ଆସିଛି । ’
ରେଳ ମନ୍ତ୍ରଣାଳୟର ଗତ ୦୬.୦୩. ୨୦୨୦ ରିଖର ଏକ ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ‘5 ବର୍ଷରୁ କମ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ ଯାତ୍ରା କରିବାକୁ ଦିଆଯିବ । କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର) ଦିଆଯିବ ନାହିଁ । ତେଣୁ ପୃଥକ ବର୍ଥ ଦାବି ନ ହେଲେ କୌଣସି ଟିକେଟ କ୍ରୟ କରିବା ଆବଶ୍ୟକ ନାହିଁ । ଯଦି କେହି ୫ ବର୍ଷରୁ କମ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ, ସିଟ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ ।’