ଅମରାବତୀ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ 14 ଦିନିଆ ରିମାଣ୍ଡରେ ପଠାଯାଇଛି । ଗତକାଲି ତାଙ୍କୁ CID ଦ୍ବାରା ଗିରଫ କରାଯାଇଥିବା ବେଳେ ଆଜି (ରବିବାର) ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ବେଲ ଆବେଦନ ଖାରଜ କରିବା ସହ ଅଧିକ ଜେରା ପାଇଁ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ ।
ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗତକାଲି(ଶନିବାର) ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ ୨୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ସକାଳ ୬ଟାରେ ରାଜ୍ୟ ସଆଇଡି ବିଭାଗର ଟିମ୍ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ରଖିବା ସହ ପ୍ରାଥମିକ ଜେରା କରିଥିଲା । ତାଙ୍କୁ ଲିଗାଲ ଟିମ୍ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡ଼ୁ ଅନୁରୋଧ ମଧ୍ୟ କରିଥିଲେ । ସଂଧ୍ୟାରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ CID ମୁଖ୍ୟାଳୟରେ ଭେଟି ଆଲୋଚନା କରିଥିଲେ ।
ଆଜି ସକାଳେ ବିଜୟଓ୍ବାଡାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ACB କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ତେବେ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ CID ରିମାଣ୍ଡ ଆବେଦନ କରିଥିଲା । କୋର୍ଟ ନାଇଡୁଙ୍କ ବେଲ୍ ଆବେଦନ ଖାରଜ କରିବା ସହ ତାଙ୍କୁ 14 ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି । ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ଯମନ୍ତ୍ରୀ ଥିବା ସମୟରେ ଦକ୍ଷତା ବିକାଶ ନିଗମ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ପ୍ରାୟ 250 କୋଟିର ଦୁର୍ନୀତି ହୋଇଥିବା ନେଇ ତଦନ୍ତ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ :- Skill Development Case: ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ
ନାଇଡୁଙ୍କ ଗିରଫଦାରୀ ପରେ ଆନ୍ଧ୍ରରେ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି । ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କହିବା ସହ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନରେ ବାହାରିଛନ୍ତି ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ । ନାଇଡୁଙ୍କୁ ଭେଟିବାକୁ ପୋଲିସ ଅନୁମତି ନଦେବାରୁ ସେ ରାସ୍ତା ଉପରେ ଧାରଣା ମଧ୍ୟ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ