ଥିରୁଅନନ୍ତପୁରମ: କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଇଟିଭି ଭାରତ ସାମ୍ବାଦିକା ନିବେଦିତା ସୁରଜ( Nivedita Sooraj) ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଆଜି ସକାଳ ସାଢେ ୧୦ଟା ସମୟରେ କେରଳ ଥ୍ରୀସୁର ଜିଲ୍ଲା ଅନ୍ତର୍ଗତ ଇରିଙ୍ଗାଲାକୁଦା ସ୍ଥିତ ନିଜର ଜନ୍ମମାଟିରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ମୃତ ସାମ୍ବାଦିକାଙ୍କ ଆତ୍ମୀୟ ପରିଜନଙ୍କ ସମେତ ବନ୍ଧୁ, ସହଯୋଗୀ ଉପସ୍ଥିତ ରହିଛନ୍ତି । ଇଟିଭି ଭାରତ ପକ୍ଷରୁ କେରଳ ରାଜ୍ୟ ମୁଖ୍ୟ କେ ପ୍ରବୀଣ କୁମାର(Kerala State Head K Praveen Kumar) ଯୋଗ ଦେଇଛନ୍ତି । କେରଳ ସାମ୍ବାଦିକ ସଂଘର ସଭାପତି ଏମ ବିନୀତା(MV Vineetha) ମଧ୍ୟ ସାମ୍ବାଦିକାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: କାର ଧକ୍କାରେ ଇଟିଭି ଭାରତ ସାମ୍ବାଦିକା ମୃତ, ଜଣେ ଗୁରୁତର
26 ବର୍ଷୀୟା ନିବେଦିତା କେରଳର ଥ୍ରୀସୁରର ବାସିନ୍ଦା । ସେ ଇଟିଭି ଭାରତ କେରଳ ଡେସ୍କରେ କଣ୍ଟେଣ୍ଟ ଏଡିଟର ଭାବେ କାର୍ଯ୍ୟରତ ଥିଲେ । ନିବେଦିତା 2021ରେ ଇଟିଭି ଭାରତରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଥ୍ରୀସୁର ବ୍ୟୁରରୋ ମଧ୍ୟ କାର୍ଯ୍ୟ କରିଥିଲେ । ଗତକାଲି ସକାଳେ ହାଇଦ୍ରାବାଦ-ବିଜୟଓ୍ବାଡା ଜାତୀୟ ରାଜପଥର ହାୟତନଗର ଭାଗ୍ୟଲତା ଠାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ନିବେଦିତା ନିଜର ଅନ୍ୟ ଜଣେ ସହଯୋଗୀ ସାମ୍ବାଦିକା ସୋନାଲି ଚାୱଙ୍କ ସହ ରାସ୍ତା ପାର୍ ହେଉଥିବା ବେଳେ ଏକ କାର୍ ଦୁହିଁଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଘଟଣାସ୍ଥଳରେ ନିବେଦିତାଙ୍କ ମୃତ୍ୟୁ ହୋଇଥିଲା । ସୋନାଲି ଗୁରୁତର ଆହତ ହୋଇଥିଲେ । ଏହାପରେ ନିବେଦିତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ କେରଳର ପୈତୃକ ଗ୍ରାମ ଅଭିମୁଖେ ପଠାଯାଇଥିଲା ।