ମୁମ୍ବାଇ: କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପୁଣି ଫୋନ କଲରେ ଧମକ ମିଳିଛି । ଗଡକରୀଙ୍କ ସଂସଦୀୟ କ୍ଷେତ୍ର ନାଗପୁରରେ ଥିବା ତାଙ୍କ ଲୋକ ସମ୍ପର୍କ ବ୍ୟାପାର କାର୍ଯ୍ୟାଳକୁ ଫୋନ କରି କେହି ଜଣେ ଦୁର୍ବୃତ୍ତ 10 କୋଟି ଟଙ୍କା ଦେବା ପାଇଁ ଦାବି କରିଛି । ଆଜି (ମଙ୍ଗଳବାର) ପୂର୍ବାହ୍ନରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲ୍ୟାଣ୍ଡ ଲାଇନକୁ ଏହି ଅଜଣା ନମ୍ବରରୁ କଲ ଆସିଥିଲା । ଦୁର୍ବୃତ୍ତ ନିଜକୁ ଜୟଶ କାନ୍ତା ଓରଫ ପୁଜାରୀ ବୋଲି ପରିଚୟ ଦେଇ ଟଙ୍କା ମାଗିଥିଲା । କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନାଗପୁର ପୋଲିସର ଏକ ଟିମ ଗଡକରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କଲ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି ।
ଏହା ପୂର୍ବରୁ ମଧ୍ୟ ଗଡକରୀଙ୍କ କାର୍ଯ୍ୟାଳୟକୁ ଏକାଧିକ ଧମକପୂର୍ଣ୍ଣ କଲ ଆସିସାରିଛି । ଗତ ଥର ଜଣେ ଦୁର୍ବୃତ୍ତ କଲ କରିବା ସହ 100 କୋଟି ଟଙ୍କାର ଚାନ୍ଦା ଦେବା ପାଇଁ ଧମକ ଦେଇଥିଲା । ନିଜକୁ ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗର ସଦସ୍ୟ ବୋଲି କହିଥିଲା ଅଭିଯୁକ୍ତ । ପରେ ଏହି କଲ କର୍ଣ୍ଣାଟକରୁ ଜେଲରେ ଥିବା ଜଣେ ହତ୍ୟାକାଣ୍ଡ କଏଦୀ କରିଥିବା ଜଣାପଡିଥିଲା ।
ତେବେ ଆଜିର କଲ ସମ୍ପର୍କରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତ ନିଜକୁ ଜୟଶ କାନ୍ତା ବୋଲି ପରିଚୟ ଦେଇଥିଲା । ଏପରି ଧମକପୂର୍ଣ୍ଣ କଲ ପରେ ଗଡକରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଗଡକରୀଙ୍କ ସରକାରୀ କାର୍ଯ୍ୟକ୍ରମ ଓ ଗସ୍ତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଗଡକରୀ ଏବେ ଦିଲ୍ଲୀରେ ଅଛନ୍ତି ଓ ଆଜି ସଂଧ୍ୟାରେ ସେ ନାଗପରୁରେ ପହଞ୍ଚିବେ । ପୋଲିସ ସାଇବର ସେଲ ଏହି ଅଜଣା ନମ୍ବର ସମ୍ପର୍କରେ ତଥ୍ୟ ସଂଗ୍ରହରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା କଲର ଲୋକେସନ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟତା ମିଳିନି ।
ଉଲ୍ଲେଖ ଯୋଗ୍ୟ ଯେ, ଗଡକରୀଙ୍କୁ ଏହା ପ୍ରଥମ ଧମକପୂର୍ଣ୍ଣ କଲେ ନୁହେଁ ବରଂ ପୂର୍ବରୁ ତାଙ୍କୁ ମଧ୍ୟ ଏକାଧିକ ଥର ଏପରି କଲ ଆସିସାରିଛି । ପ୍ରତ୍ୟେକ କଲରେ ତାଙ୍କ କାର୍ଯ୍ୟାଳୟକୁ ଟଙ୍କା ମଗାଯାଇଛି । ଗତଥର ଆସିଥିବା କଲେ ସମ୍ପର୍କରେ ତଦନ୍ତ କରି ପୋଲିସ ଆଶ୍ଚର୍ଯ୍ୟଜନକ ତଥ୍ୟ ପାଇଥିଲା । ଏହି କଲ ଜେଲ ମଧ୍ୟରୁ ଗଡକରୀଙ୍କ କାର୍ଯ୍ୟାଳୟକୁ କରାଯାଇଥିଲା । କର୍ଣ୍ଣାଟକର ହିନ୍ଦାଲଗା ଜେଲରେ ଥିବା ଜଣେ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଅନ୍ତେବାସୀ ଏହି କଲ କରିଥିବା ଜାଣିବାକୁ ମିଳିଥିଲା । ନାଗପୁର ପୋଲିସ କର୍ଣ୍ଣାଟକ ପୋଲିସ ସହାୟତାରେ ଉକ୍ତ ଜେଲରେ ଚଢାଉ କରିଥିଲା । ଏବେ ପୁଣି କିଛି ମାସ ବ୍ୟବଧାନରେ ଗଡକରୀଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ କଲ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ