ନୂଆଦିଲ୍ଲୀ: ନୀତି ଆୟୋଗ (NITI Aayog) ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (National Data & Analytics Platform) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମ ବା ମଞ୍ଚର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇଦେବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ ସଂଚାଳିତ, ଆନ୍ତଃକ୍ରିୟ ହେବ । ଯଦ୍ବାରା ବ୍ୟବହାର ଅନୁକୂଳ ମଞ୍ଚରେ ସର୍ବସାଧାରଣ ଏହାକୁ ସହଜରେ ପାଇପାରିବେ । ଏହି ପ୍ଲାଟଫର୍ମ ବିଭିନ୍ନ ସରକାରୀ ସଂସ୍ଥାରୁ ତଥ୍ୟାବଳୀମାନ ସଂଗ୍ରହ କରି ଅତି ସୁସମନ୍ବିତ ଭାବେ ପ୍ରଦାନ କରୁଛି ।
ଏହାଛଡା ଏହି ତଥ୍ୟାବଳୀକୁ ଦେଖିବା, ପଢିବା, ବିଶ୍ଲେଷଣ କରିବା ପାଇଁ ଏହି ପ୍ଳାଟଫର୍ମରେ ଆବଶ୍ୟକ ‘ଟୁଲ୍ସ’ର ବ୍ୟବସ୍ଥା ରହିଛି । ପୂର୍ବରୁ ଜନସାଧାରଣଙ୍କ ପାଇଁ ୨୦୨୧ ଅଗଷ୍ଟରେ ଏକ ‘ବେଟା ରିଲିଜ’ ବ୍ୟବସ୍ଥା କରାଯାଇଥିଲା । ଏହାଫଳରେ ସୀମିତ ସଂଖ୍ୟକ ବ୍ୟବହାରକାରୀ ଏହାକୁ ଦେଖିବାର ସୁଯୋଗ ପାଇଥିଲେ । ଏହାର ସେତେବେଳେ ପରୀକ୍ଷାମୂଳକ ପ୍ରୟୋଗ ଓ ମତାମତ ପାଇଁ କରାଯାଇଥିଲା । ଏହି ପ୍ଳାଟଫର୍ମରେ ଉପଲବ୍ଧ ଡାଟା ସରକାରୀ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଶିକ୍ଷାବିତ, ସାମ୍ବାଦିକତା, ନାଗରିକ ସମାଜ ଓ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହେବ ।
ସମ୍ପୃକ୍ତ ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏଥିରେ ତଥ୍ୟାବଳୀ ଗୁଡିକୁ ସଂରକ୍ଷିତ ଭାବେ ରଖାଯାଇଛି । ସମସ୍ତ ଡାଟାସେଟ କମନ ସ୍କିମରେ ମାନକୀକୃତ କରାଯାଇଛି । ଏହାଫଳରେ ତଥ୍ୟାବଳୀଗୁଡିକୁ ଏକାଠି କରି ବିଭିନ୍ନ କ୍ଷେତ୍ରର ତଥ୍ୟ ବିଶ୍ଳେଷଣ କରିବା ସହଜ ହେବ । ଏହି ପ୍ଳାଟଫର୍ମକୁ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ (Suman Bery Vice Chairman of NITI Aayog) ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ(Amitabh Kant, CEO NITI Aayog), ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଡକ୍ଟର ଅନନ୍ତ ନାଗେଶ୍ବରନ (Anantha Nageswaran Chief Economic Advisor), ନୀତି ଆୟୋଗର ଅନେକ ବରିଷ୍ଠ ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଗବେଷକ ଓ ଶିକ୍ଷାବିତ ଉପସ୍ଥିତ ଥିଲେ ।
ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ କହିଛନ୍ତି ଏହା ସରକାରୀ ତଥ୍ୟାବଳୀ, ବିଶେଷକରି ଡାଟାକୁ ସର୍ବସାଧାରଣରେ ସହଜରେ ଉପଲବ୍ଧ କରିବାରେ ସହାୟକ ହେବ । ବ୍ୟବହାରକାରୀ ଏହାକୁ ସୁବିଧାରେ ଆକସେସ କରିବା ସହିତ ବିଭିନ୍ନ ଡାଟାକୁ ସହଜରେ ବିଶ୍ଳେଷଣ ଓ ବ୍ୟବହାର କରିପାରିବେ । ଏହି ଅବସରରେ ଆୟୋଜିତ ଏକ କ୍ଷୁଦ୍ର ଆଲୋଚନାଚକ୍ରରେ ସରକାରୀ ଓ ବେସରକାରୀ କ୍ଷେତ୍ରର ବହୁ ବିଶେଷଜ୍ଞ, ବିଷୟବିତ, ଗବେଷକ, ଶିକ୍ଷାବିତ ଭାଗ ନେଇଥିଲେ ।
ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଥିଲେ ଏବେ ଡାଟା ଓ ଡିଜିଟାଲ ଟେକ୍ନୋଲୋଜି ଦେଶର ଅର୍ଥନୀତି ଓ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣୁଛି । ସରକାରଙ୍କ ଦୈନନ୍ଦିନ ବ୍ୟବହାରରେ ଏହାର ବ୍ୟାପକ ଆବଶ୍ୟକତା ରହିଛି । ଭାରତର ବିକାଶ ଯାତ୍ରାରେ ଏନଡିଏପି ଏକ ମାଇଲଖୁଣ୍ଟ । ଏହା ଭାରତର ବିକାଶରେ ସହାୟକ ହେବ ଏବଂ ଡାଟା ପରିଚାଳିତ ତଥ୍ୟ ପ୍ରଘଟ, ନିଷ୍ପତ୍ତି ଗ୍ରହଣ ଏବଂ ସମସ୍ତଙ୍କୁ ଡାଟା ଯୋଗାଣ ସୁନିଶ୍ଚିତ କରିବାରେ ବିଶେଷ ଅବଦାନ ରଖିବ । ଡାଟା ଶକ୍ତିକୁ କିପରି କାମରେ ଲଗାଯାଇପାରିବ ଏହା ତାହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି । ଏନଡିଏପିକୁ (NDAP) http: //ndap.niti.gov.in ରେ ଆକସେସ କରି ହେବ । ଏହି ପ୍ଲାଟଫର୍ମରୁ ସବୁ ଡାଟାସେଟକୁ ଡାଉନଲୋଡ ଓ ମର୍ଜ କରାଯାଇପାରିବ ।