ମୁମ୍ବାଇ: ପୁଣି ବଢିଲା ପୁଣେରେ କୋରୋନା କଟକଣା । ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ରକାଳୀନ କଟକଣାକୁ ଆସନ୍ତା 14 ପର୍ଯ୍ୟନ୍ତ ବଢାଯାଇଛି । ପୂର୍ବରୁ ଫେବ୍ରୁଆରୀ 28 ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା ।
ତେବେ ଆଜି(ରବିବାର) ପୁଣେ ଜିଲ୍ଲା ପ୍ରଶାସନ ରାତ୍ରକାଳୀନ କର୍ଫ୍ୟୁକୁ ମାର୍ଚ୍ଚ 14 ପର୍ଯ୍ୟନ୍ତ ବଢାଇବା ସହ ସ୍କୁଲ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ମେୟର ମୂରଲୀଧର ମୋହୋଲ କହିଛନ୍ତି ।
ସୂଚନା ଅନୁଯାୟୀ, ପୁଣେରେ ମୋଟ 4 ଲକ୍ଷ 64 ହଜାର 53 ଜଣ କୋରୋନାରେ ଆକ୍ରାନ୍ତ ହୋଇ ଥିବାବେଳେ 3 ଲକ୍ଷ 87 ହଜାର 527 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 9 ହଜାର 860 ଆକ୍ଟିଭ କେସ ରହିଛି ଏବଂ ମହାମାରୀରେ ଜିଲ୍ଲାରୁ 9 ହଜାର 235 ଜଣଙ୍କ ପ୍ରାଣହାନୀ ଘଟିଛି ।