ଭୁବନେଶ୍ବର: ସବୁଜ ପୃଥିବୀର ଗଠନ ଦିଗରେ ଏକ ପ୍ରୟାସ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ସେ ରାଜ୍ୟ ହେଉ ଅବା ଦେଶ, ସବୁଠାରେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ଲାଗିଛି। କାହିଁକି ନା ବଡ଼ ବଡ଼ କମ୍ପାନୀ, ଅନେକ ପ୍ରୋଜେକ୍ଟ ନିର୍ମାଣ ପାଇଁ ଗଛ କାଟୁଛନ୍ତି । ତେବେ ସୁସ୍ଥ ସମାଜ ଗଠନ ପାଇଁ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ଜଙ୍ଗଲ କ୍ଷୟରୁ ରୋକିବା ଲାଗି ପ୍ରୟାସ କରିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ସିଡ୍ ବଲ୍ ବା ମଞ୍ଜିଗୋଳା, ଏହା ମାଧ୍ୟମରେ କରାଯାଉଛି ବୃକ୍ଷରୋପଣ ।
ସିଡବଲ ଏକ ସହଜ ଉପାୟ । ଏହି ପ୍ରକ୍ରିୟା ଆପଣେଇବା ଦ୍ବାରା ନାଁ ଗଛ ପୋତିବା ପାଇଁ ମାଟି ଖୋଳିବାକୁ ପଡିବ ନାଁ ପାଣି ଦେବାକୁ ପଡିବ । ଏହି ବଲକୁ ଫିଙ୍ଗିବା ଦ୍ବାରା ଆପେଆପେ ଗଛ ଉଠିବ । ଏହାଛଡା ବର୍ଷା ଦିନେ ସିଡବଲ ଗଛରେ ପରିଣତ ହେବା ପାଇଁ ବେଶି ଦିନ ସମୟ ନେଇନଥାଏ । ସେଥିପାଇଁ ବର୍ଷା ଋତୁ ସିଡବଲ ପାଇଁ ଏକ ଅନୁକୂଳ ପରିବେଶ ।
ପରିବେଶ ବଞ୍ଚାଇବା ପାଇଁ ଉଭୟ ସରକାରୀ ଓ ଘରୋଇ ଦିଗରେ ଜାରି ରହିଛି ପ୍ରୟାସ । ଆଧୁନିକତାର ଛାପ ଯେତେ ଅଧିକ ହେଉଛି ସେହି ଅନୁସାରେ ସମାଜରୁ ଗଛ ସଂଖ୍ୟା ଧୀରେ ଧୀରେ କମିବାର ଲାଗିଛି । ଗଛ ହସିଲେ ଜୀବନ ହସିବ ଏହି ବାର୍ତ୍ତା ନେଇ ଗଛ ସଂଖ୍ୟା କିଭଳି ବଢ଼ିବ ଏହାର ପ୍ରୟାସରେ ଲାଗିଛନ୍ତି ଯୁବ ପରିବେଶବିତ । ଏନେଇ କୁନି କୁନି ଛାତ୍ରଛାତ୍ରୀ ମାନେ ସିଡ୍ ବଲ୍ ନିର୍ମାଣ ଶିଖିବା ସହ ତାହାକୁ ସ୍କୁଲ ଅଗଣା, ଖେଳ ପଡିଆ ନିକଟରେ ଏବଂ ଗ୍ରାମ୍ୟ ଜଙ୍ଗଲ ସ୍ଥାନରେ ପକାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଜଙ୍ଗଲ ସୃଷ୍ଟି କରିବ ସିଡବଲ: ବୃକ୍ଷରୋପଣର ନୂତନ ଜ୍ଞାନକୌଶଳ, ମଞ୍ଜିଗୋଳା ଫିଙ୍ଗା ଯାଇ ଲଗାଯାଉଛି ଗଛ
ସେହିପରି ମଣିଷ ନିଜ ଚାହିଦା ବୃଦ୍ଧି ନିମନ୍ତେ ବିପୁଳ ପରିମାଣ ର ଗଛ କଟିବାରେ ଲାଗିଛି। ହେଲେ ସେହି ମାତ୍ରାରେ ଗଛ ଲଗାଇବାର ପ୍ରୟାସ କେଉଁଠି ନା କେଉଁଠି ଧିମା ପଡିଯାଇଛି । ତେବେ ସେହି ଗତି ର ଧାରାକୁ ବଢାଇବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି ଶୁଭ୍ରାଂଶୁ । ଡ୍ରୋନ ଯୋଗେ ବିଭିନ୍ନ ଅପହଞ୍ଚ ସ୍ଥାନରେ ସିଡ୍ ବଲ୍ ପକାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରେ ବରୁଣେଇ ପାହାଡ଼, ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ସମେତ ଢେଙ୍କାନାଳ ଜିଲ୍ଲା କପିଳାସ ଏବଂ ସପ୍ତଶଯ୍ୟା ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର