ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟା ଦଶମୀ ଶୁଭ ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକୁ ସମ୍ପାଦନ କରିଛନ୍ତି । ଏହି ସମୟରେ ମୋଦି କହିଛନ୍ତି ନୂତନ ପ୍ରତିରକ୍ଷା କମ୍ପାନୀଗୁଡିକ କେବଳ ପାରଦର୍ଶୀତା ହାସଲ କରିବେ ନାହିଁ ବରଂ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡରେ ପରିଣତ ହେବ ।
ସେ କହିଛନ୍ତି ଏହି କମ୍ପାନୀଗୁଡିକ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ, ସେନାଙ୍କ ପାଇଁ ଯାନବାହନ, ଟ୍ରୁପ କମ୍ପଟ ଜିନିଷ ଓ ପାରାଚୁଟ ଆଦି ତିଆରି କରିବ । ପ୍ରତ୍ୟେକ କମ୍ପାନୀ ବିଶ୍ବସ୍ତରୀୟ ବ୍ରାଣ୍ଡରେ ପରିଣତ ହେବ । ପ୍ରତିଯୋଗିତା ହେଉଛି ଆମର ଶକ୍ତି । ଗୁଣାତ୍ମକ ଓ ନିର୍ଭରଯୋଗ୍ୟତା ଆମର ପରିଚୟ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମ ଦେଶର ବିକାଶ ଯାତ୍ରରେ ଏହି କମ୍ପାନୀଗୁଡିକ ଏକ ଅଂଶ ହେବ ।
ସେ ଆହୁରି କହିଛନ୍ତି ଦୀର୍ଘ ୧୫ ରୁ ୨୦ ବର୍ଷ ହେବ ଏହି ନଷ୍ପତ୍ତି ସ୍ଥଗିତ ହୋଇ ରହିଥିଲା । ମୁଁ ଦୃଢତାର ସହିତ କହିବି ଯେ ଏହି ସାତୋଟି କମ୍ପାନୀ ଆଗାମୀ ଦିନରେ ଭାରତ ସାମରିକ ଶକ୍ତି ପାଇଁ ଏକ ମୂଳଦୁଆ ହେବ । କମ୍ପାନୀର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ,ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଆତ୍ମର୍ନିଭରଶୀଳତା ପାଇଁ ଏକ ପଦକ୍ଷେପ ଭାବରେ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ଶତ ପ୍ରତିଶତ ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏହି ପଦକ୍ଷେପ ଉନ୍ନତ କାର୍ଯ୍ୟ ସ୍ବାଧୀନତା, ଦକ୍ଷତା ଆଣିବ ଏବଂ ନୂତନ ଅଭିବୃଦ୍ଧିର ସମ୍ଭାବନା ଆଣିବ ।
ସାତୋଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡିକ ହେଲା ମୁନିସନସ ଇଣ୍ଡିଆ ଲିମିଟେଡ୍ (ଏମ୍ଆଇଏଲ), ଆରମୋର୍ଡ ଭେଇକିଲ୍ ନିଗମ ଲିମିଟେଡ୍ (ଏଭିଏଏନ୍ଆଇ),ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ) ଟ୍ରୁପ୍ କମ୍ପଟ୍ସ ଲିମିଟେଡ୍ (ଟିସିଏଲ) ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍) ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍) ଏବଂ ଗ୍ଲିଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍) ।
@ANI