କାଠମାଣ୍ଡୁ: ନେପାଳ ରାଜନୀତିରେ ବଡ ଭୂମିକମ୍ପ । ନେପାଳର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଦଳରୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି । ଏଥିସହ ଦଳରୁ ଓଲିଙ୍କ ସଦସ୍ୟତା ମଧ୍ୟ ରଦ୍ଧ ହୋଇଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହ ଆଲୋଚନା କରି ବିଦ୍ରୋହୀ ଗୋଷ୍ଠୀ ସମୁହର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିଛନ୍ତି ଯେ କେପି ଶର୍ମା ଓଲିଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।
ଓଲିଙ୍କ ବିରୋଧରେ ଦୀର୍ଘ ଦିନରୁ ଦଳରେ ବିଦ୍ରୋହର ସ୍ବର ତେଜିବାକୁ ଲାଗିଥିଲା । ଏନସିପିର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶୁକ୍ରବାର ଏଠାରେ ଏକ ବଡ ସରକାର ବିରୋଧୀ ରାଲିର ନେତୃତ୍ବ ନେଇଥିଲେ । ଏହି ସମୟରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଦ୍ବାରା ସଂସଦକୁ ଅବୈଧ ରୂପେ ଭଙ୍ଗ କରାଯିବା ଦେଶ ପାଇଁ ବଡ କ୍ଷତି ସାବ୍ୟସ୍ତ ହୋଇଛି । ଏଥିଯୋଗୁଁ ସଂଘୀୟ ଗଣତାନ୍ତ୍ରିକ ପ୍ରଣାଳୀକୁ ଗଭୀର ଆଘାତ ଲାଗିଛି ।
ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଦଳୀୟ ସମର୍ଥକଙ୍କୁ ସମ୍ବୋଧିତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଛନ୍ତି ଯେ ଓଲି କେବଳ ଦଳର ସମ୍ବିଧାନ ତଥା ପ୍ରକ୍ରିୟାକୁ ଉଲ୍ଲଂଘନ କରିନାହାଁନ୍ତି, ବରଂ ନେପାଳର ସମ୍ବିଧାନ ସମ୍ମାନର ଉଲ୍ଲଂଘନ କରିଛନ୍ତି । ସେ କହିଛନ୍ତି ଯେ ଓଲିଙ୍କ ନିଷ୍ପତ୍ତିକୁ ଲୋକେ ବିରୋଧ କରିବାକୁ ବାଧ୍ୟ ହୋଇଛନ୍ତି ଏବଂ ଆଜି ସମଗ୍ର ଦେଶ ସଂସଦ ଭଙ୍ଗକୁ ବିରୋଧ କରୁଛି।
ନେପାଳରେ 20 ଡିସେମ୍ବର 2020ରେ ନେପାଳ ରାଜନୀତିରେ ଗୋଟିଆସିଥିଲା ସଙ୍କଟର କଳା ବାଦଲ । ଚୀନ ସମର୍ଥକ ଭାବରେ ବିବେଚିତ ହୋଇଥିବା ଓଲି ଅଚାନକ ପ୍ରଚଣ୍ଡଙ୍କ ସହ ଶକ୍ତି ସଂଗ୍ରାମ ମଧ୍ୟରେ ସଂସଦର ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସେହି ଦିନ ଲୋକସଭାକୁ ଭଙ୍ଗ କରି 30 ଏପ୍ରିଲ ଏବଂ 10 ମଇରେ ନୂତନ ନିର୍ବାଚନ ତାରିଖ ଘୋଷଣା କରିଥିଲେ।