ନୂଆଦିଲ୍ଲୀ: କୋଭିଡ ସମୟରେ ଦେଶରେ ଉଭୟ ପିତା ଓ ମାତାଙ୍କୁ ହରାଇ ଅସହାୟ ହୋଇଛନ୍ତି ୧ ଲକ୍ଷ ୪୭ ହଜାର ଶିଶୁ । ଗତ 2020 ମସିହା ଏପ୍ରିଲ 1 ତାରିଖରୁ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଏହି ତଥ୍ୟ ସରକାରୀ ଭାବେ ହସ୍ତଗତ ହୋଇଛି । ଆଜି ଏନେଇ ସର୍ବୋଚ୍ଚ କୋର୍ଟଙ୍କୁ ଏହି ତଥ୍ୟ ପ୍ରଦାନ କରିଛନ୍ତିି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (NCPCR) । ତେବେ ରାଜ୍ୟଓ୍ବାରୀ ତାଲିକାରେ ଓଡିଶା ଶୀର୍ଷରେ ରହିଛି । ଓଡିଶାରେ କୋଭିଡ କାଳରେ ପ୍ରାୟ 24,405 ଶିଶୁ ପିତାମାତାଙ୍କୁ ହରାଇଛନ୍ତି ।
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କ ଦ୍ବାରା ‘ବାଲ ସ୍ବରାଜ’ ପୋର୍ଟାଲରେ ଅପଲୋଡ ହୋଇଥିବା ତଥ୍ୟ ଆଧାରରେ ଏହି ସାମଗ୍ରିକ ତଥ୍ୟ ହସ୍ତଗତ ହୋଇଥିବା ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରିଛି କମିଶନ । ଏହି ତଥ୍ୟ ୨୦୨୦ ଏପ୍ରିଲ ପହିଲାରୁ ଚଳିତ ମାସ ୧୧ ତାରିଖ ଯାଏଁ ଅନୁଧ୍ୟାନକୁ ନିଆଯାଇଛି । ଆଇନଜୀବୀ ସ୍ବରୁପମା ଚତୁର୍ବେଦୀଙ୍କ ଦ୍ବାରା ଦାଖଲ ହୋଇଥିବା ଆଫିଡେଭିଟର ଉତ୍ତର ରଖି ଆୟୋଗ ଏହି ତଥ୍ୟ ପ୍ରଦାନ କରିଛନ୍ତି ।
ସେହିପରି ଲିଙ୍ଗଗତ ଅନୁପାତ ସମ୍ପର୍କରେ ସୂଚନା ଦେଇ ଆୟୋଗ କହିଛନ୍ତି, ମୋଟ ଶିଶୁଙ୍କ ମଧ୍ୟରେ 76,508 ପୁଅ, 70,980 ବାଳିକା ଏବଂ ଚାରି ଶିଶୁ ଟ୍ରାନ୍ସଜେଣ୍ଡର ଅଛନ୍ତି । ଏଥିରେ କୁହାଯାଇଛି ଯେ ସର୍ବାଧିକ 59,010 ଶିଶୁ ୮-୧୩ ବର୍ଷ ବୟସ୍କ ବର୍ଗରେ ରହିଛନ୍ତି । 14 ରୁ 15 ବର୍ଷ ବୟସ ବର୍ଗରେ 22,763 ଜଣ ଏବଂ 16 ରୁ 18 ବର୍ଷ ବୟସ ବର୍ଗରେ 22,626 ଶିଶୁ ରହିଛନ୍ତି । ସେହିପରି ୭ ବର୍ଷ ପର୍ଯ୍ୟନ୍ତ ବୟସ୍କ ବର୍ଗରେ 26,080 ଶିଶୁ ରହିଥିବା ରିପୋର୍ଟରେ କୁହାଯାଇଛି ।
ସେହିପରି ରାଜ୍ୟଓ୍ବାରୀ ସୂଚନା ମଧ୍ୟ କୋର୍ଟଙ୍କୁ ଅବଗତ କରାଇଛନ୍ତି କମିଶନ । ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଓଡିଶା । ସର୍ବାଧିକ 24,405 ଶିଶୁ ଓଡିଶାରେ ଥିବା ବେଳେ 19,623 ଶିଶୁଙ୍କ ସହ ମହାରାଷ୍ଟ୍ର ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଗୁଜୁରାଟ 14,770 ଜଣ ଶିଶୁ, ତାମିଲନାଡୁରେ 11,014, ଉତ୍ତର ପ୍ରଦେଶରେ 9,247 ଜଣ, ଆନ୍ଧ୍ରପ୍ରଦେଶ 8,760, ମଧ୍ୟପ୍ରଦେଶ 7,340, ପଶ୍ଚିମବଙ୍ଗ 6,835 ଦିଲ୍ଲୀ 6,629 ଏବଂ ରାଜସ୍ଥାନ 6,827 ଶିଶୁ ରହିଥିବା ତଥ୍ୟରୁ ତଥ୍ୟରେ ଦର୍ଶାଇଛନ୍ତି କମିଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ