ମୁମ୍ବାଇ: କରୋନା ଗାଇଡଲାଇନକୁ ପାଳନ କରାଯାଇ ମହାରାଷ୍ଟ୍ରର ସମସ୍ତ ମନ୍ଦିର ଏବଂ ପୂଜାପାଠ ସ୍ଥାନ ଖୋଲିବାକୁ ରାଜ୍ୟସରକାର ଘୋଷଣା କରିବା ପରେ ଭକ୍ତଙ୍କ ପାଇଁ ସୋମବାର ଠାରୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ଖୋଲାଯାଉଛି । ତେବେ ଭକ୍ତମାନଙ୍କୁ ଦର୍ଶନ ପାଇଁ ମନ୍ଦିର ଆପ୍ ଡାଉନଲୋଡ୍ କରିବାକୁ ପଡିବ ଏବଂ କ୍ୟୁଆର କୋଡ୍ ପାଇବା ପରେ ହିଁ ସେମାନେ ଦର୍ଶନ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟର ସଭାପତି ଆଦେଶ ବାନ୍ଦେକର କହିଛନ୍ତି ।
ରାଜ୍ୟରେ କରୋନା ମହାମାରୀ କାରଣରୁ ଗତ ଆଠମାସ ହେବ ସମସ୍ତ କାର୍ଯ୍ୟ ବନ୍ଦ ରହିଥିଲା । ଏବେ ରାଜ୍ୟସରକାରଙ୍କ ଅନୁମତି କ୍ରମେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଉଛି ।
ତେବେ ମନ୍ଦିରରେ ପ୍ରତିଦିନ ଏକହଜାର ଭକ୍ତଙ୍କ ଦର୍ଶନ କରିବାର ବନ୍ଦୋବସ୍ତ କରାଯାଇ ଥିବାବେଳେ ଗୋଟିଏ ଘଣ୍ଟା ମଧ୍ୟରେ 100 ଜଣ ଭକ୍ତ ଦର୍ଶନ କରିପାରିବେ । ଏଥିପାଇଁ ଭକ୍ତମାନଙ୍କୁ ସିଦ୍ଧିବିନାୟକ ମନ୍ଦିର ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏଥିରୁ ବୁକିଂ କରିବା ପରେ ଏକ କ୍ୟୁଆର କୋଡ୍ ଆସିବ। ଏହି କୋଡକୁ ଦେଖାଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବାର ଅନୁମତି ପାଇପାରିବେ ବୋଲି ମନ୍ଦିର ଟ୍ରଷ୍ଟ ସଭାପତି କହିଛନ୍ତି ।
ସେହିପରି ସରକାରଙ୍କ ସମସ୍ତ ନିୟମ ପାଳନ କରିବାର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ପହଞ୍ଚିବା ପରେ ଭକ୍ତଙ୍କ ଶରୀରର ତାପମାତ୍ରା ମପାଯିବ, ମାସ୍କ ପିନ୍ଧିନଥିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । ସେହିପରି ସାମାଜିକ ଦୂରତା ନିୟମକୁ ପାଳନ କରିବାକୁ ମଧ୍ୟ କହୁହାଯାଇଛି । ବର୍ତ୍ତମାନ ସମୟରେ ମନ୍ଦିରରେ ପ୍ରସାଦ ବିକ୍ରି ଉପରେ ରୋକ ଲଗାଯାଇ ଥିବାବେଳେ ସିଦ୍ଧିବିନାୟକଙ୍କ ଲଡୁକୁ ପ୍ରସାଦ ଭାବରେ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ କହିଛି । ଏଥିସହ ମନ୍ଦିରର ଆପ ଯୋଗେ ମଧ୍ୟ ଭକ୍ତ ଅନଲାଇନରେ ଦର୍ଶନ ଓ ଆରତୀ କରିବାର ସୁଯୋଗ ପାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ