ମୁମ୍ବାଇ: ଇଣ୍ଟରନେଟରେ ଆତ୍ମହତ୍ୟା କରିବାର ସହଜ ଉପାୟ ଖୋଜୁଥିଲେ ଯୁବ ଇଞ୍ଜିନିୟର । ସେହି ଇଣ୍ଟରନେଟ ମନିଣ୍ଟରିଂ ମାଧ୍ୟମରେ ଏହା ଜଣାପଡିବା ପରେ 25 ବର୍ଷୀୟ ଜଣେ ଯୁବ ଇଞ୍ଜିନିୟରଙ୍କୁ ଚିହ୍ନଟ କରି ମୁମ୍ବାଇ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ଯୁବକଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଜେରା କରେ କରିବା ପରେ ପୋଲିସ ଅଭିଭାବକଙ୍କୁ ହସ୍ତାନ୍ତର କରିଛି । ଯୁବକଜଣଙ୍କ ମାନସିକ ବିଷାଦଗ୍ରସ୍ତ ଥିବା ପ୍ରାଥମିକ ଭାବେ ଜଣାପଡିଥିବା ବେଳେ କାରଣ ସମ୍ପର୍କରେ ଆର୍ଥିକ ସମସ୍ୟା ଥିବା ପୋଲିସ ସ୍ପଷ୍ଟ କରିଛି ।
ଫେବୃଆରୀ 15 ତାରିଖରେ ୱାଶିଂଟନ୍ ଇଣ୍ଟରପୋଲ ଶାଖା ଜରିଆରେ ଜଣେ ଭାରତୀୟ ଯୁବକ ଇଣ୍ଟରନେଟରେ ସରଳ ମୃତ୍ୟୁ ବା ଆତ୍ମହତ୍ୟାର ପ୍ରଣାଳୀ ସମ୍ପର୍କରେ ବାରମ୍ବାର ସର୍ଚ୍ଚ କରୁଥିବା ନେଇ ସୂଚନା ମିଳିଥିଲା । ଏନେଇ ଇଣ୍ଟରପୋଲ ମୁମ୍ବାଇ ପୋଲିସର ସ୍ପେସାଲ ସେଲକୁ ସୂଚନା ଦେଇଥିଲା । ଅନ୍ତର୍ଜାତୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଯୁବକଙ୍କୁ ଠାବ କରିବା ପାଇଁ ମୁମ୍ବାଇ ପୋଲିସ ଡ୍ରାଇଭ ଆରମ୍ଭ କରିଥିଲା । ପରେ ଇଣ୍ଟରନେଟ ଓ ସାଇବର ସେଲ ଜରିଆରେ ପୋଲିସ ଉକ୍ତ ଯୁବକର ଆଇପି ଆଡ୍ରେସ ଓ ଅନ୍ୟ ବୈଷୟିକ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଯୁବକଙ୍କୁ ଲୋକେସନ ଟ୍ରାକ କରାଯାଇ କୁର୍ଲା କିସ୍ମତନଗରରୁ ଚିହ୍ନଟ କରାଯିବା ସହ ପୋଲିସ ହେପାଜତକୁ ନେଇଛି ।
ପୋଲିସର ସୂଚନା ଅନୁସାରେ, ଏହି 25 ବର୍ଷୀୟ ଯୁବକଜଣଙ୍କ ପଶ୍ଚିମ ଯୋଗେଶ୍ବରୀ ଅଞ୍ଚଳର ବାସିନ୍ଦା । ସେ ପେଶାରେ ଜଣେ ସୂଚନା ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟର ହୋଇଥିବା ବେଳେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ମଧ୍ୟ । ସେ ଏବେ କୁର୍ଲା କିସ୍ମତନଗର ଅଞ୍ଚଳରେ ରହୁଛନ୍ତି । ତେବେ ତାଙ୍କୁ ଏପରି କାରିବାର କାରଣ ସମ୍ପର୍କରେ ଜେରା ପରେ ପୋଲିସ ନିକଟରେ ସାଙ୍ଘାତିକ ତଥ୍ୟ ଲାଗିଛି । ଯୁବ ଇଞ୍ଜିନିୟରଜଣଙ୍କ ନିଜର କିଛି କାର୍ଯ୍ୟ ପାଇଁ ଏକାଧିକ ସଂସ୍ଥାରୁ ଋଣ ନେଇଛନ୍ତି । ଯାହା ପରିଶୋଧ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ । ସେ ପୂର୍ବରୁ ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଦ୍ଧା ସେଥିରେ ସଫଳ ହୋଇନଥିଲେ । ତେଣୁ ସେ ଇଣ୍ଚରନେଟର ଆତ୍ମହତ୍ୟାର ସରଳ ଉପାୟ ସମ୍ପର୍କରେ ସୂଚନା ଏକତ୍ରୀତ କରୁଥିଲେ ।
ହେପାଜତକୁ ଆଣି ପୋଲିସ ଅଧିକାରୀ ତାଙ୍କୁ ବୁଝାଇବା ପରେ ଯୁବକଙ୍କୁ ତାଙ୍କ ପିତାମାତଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ମାନସିକ ଅବସ୍ଥା ଭଲ ନଥିବା କାରଣରୁ ତାଙ୍କ ଉପରେ ନଜର ରଖିବା ପାଇଁ ମଧ୍ୟ ପୋଲିସ ଅଭିଭାବକଙ୍କୁ ପରାମର୍ଶ ଦେଇଛି । ବର୍ତ୍ତମାନର ଜୀବନଶୈଳୀରେ ଯୁବପିଢିଙ୍କ କ୍ଷେତ୍ରରେ ଏପରି ମାନସିକ ସମସ୍ୟା ଦେଖିବାକୁ ମିଳୁଛି । ବିଭିନ୍ନ କାରଣରୁ ଚାପଗ୍ରସ୍ତ ହୋଇ ଜୀବନକୁ ବୁଝିବା ଆଗରୁ ସେମାନେ ମୃତ୍ୟୁକୁ ସହଜ ପନ୍ଥା ଭାବେ ବାଛି ନେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ