ଡେରାଡୁନ: ପୋଲିସ ହେପାଜତକୁ ଗଲା ବିବାଦୀୟ 'ବୁଲ୍ଲୀ ବାଈ'(Bulli Bai App) ମାମଲାରେ ଗିରଫ ବିଶାଲ କୁମାର(୨୧) । ଜାନୁଆରୀ ୧୦ ପର୍ଯ୍ୟନ୍ତ ତାଙ୍କୁ ପୋଲିସ ହେପାଜତକୁ ପଠାଯାଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗତକାଲି(ସୋମବାର) ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଥିଲା ।
ବିଶାଲଙ୍କ ଓକିଲ ଆଡଭୋକେଟ ଡି. ପ୍ରଜାପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ମୋ ମହକିଲଙ୍କୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି । ତାଙ୍କୁ ଏହି ମାମଲାରେ ଫସାଯାଉଛି ।'
ଏହା ବି ପଢନ୍ତୁ: EXPLAINED: ବିବାଦୀୟ Bulli Bai ଆପ୍, ଅନଲାଇନରେ ଚାଲିଥିଲା ନିଲାମି
ସୂଚନା ଅନୁଯାୟୀ, ଆଜି ମଧ୍ୟ ପୋଲିସ ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରିଛି । ଏହି ମହିଳାଙ୍କୁ ପୋଲିସ ଉତ୍ତରାଖଣ୍ଡରୁ ଧରିବା ପରେ ହେପାଜତକୁ ନେଇଛି । ତେବେ ଉତ୍ତରାଖଣ୍ଡରୁ ଗିରଫ ହୋଇଥିବା ମହିଳା ଓ ବିଶାଲ ପୂର୍ବରୁ ପରସ୍ପରକୁ ଜାଣିଥିବା ମୁମ୍ବାଇ ପୋଲିସ କହିଛି । ମୁଖ୍ୟ ମହିଳା ଜଣକ 'ବୁଲ୍ଲୀ ବାଈ' ଆପ୍ ସହିତ ଜଡ଼ିତ ଥିବା ପ୍ରାୟ ୩ଟି ଆକାଉଣ୍ଟକୁ ହ୍ୟାଣ୍ଡେଲ କରୁଥିବା ଜଣାପଡ଼ିଛି ।
ଅନ୍ୟ ଅଭିଯୁକ୍ତ ବିଶାଲ 'Khalsa supremacist' ନାମରେ ଏକ ଆକାଉଣ୍ଟ ଖୋଲିଥିଲା । କିନ୍ତୁ ବିଶାଲ ଗତ ଡିସେମ୍ବର ୩୧ ତାରିଖରେ ଏହି ନାମକୁ ପରିବର୍ତ୍ତନ କରିଥିଲେ । କାରଣ ଏହି ନାମଟି ଶିଖ ଧର୍ମାବଲମ୍ବୀଙ୍କ ନାମ ପରି ଥିଲା । ତେବେ ସୂଚନା ଥାଉ କି ଏହି ଆପ୍ଟି କେବଳ ମୁସଲିମ ମହିଳାଙ୍କୁ ଟାର୍ଗେଟ କରୁଥିଲା । ଖାସ୍ କରି ପରିଚିତ ମୁସଲିମ ମହିଳା ଓ ସୋସିଆଲ ମିଡ଼ିଆରେ ନିଜର ମତ ରଖୁଥିବା ମୁସଲିମ ମହିଳାଙ୍କ ଫଟୋକୁ ଏଡ଼ିଟ କରାଯାଇ ନିଲାମ କରାଯାଉଥିଲା । ଏହାସହିତ ମୁସଲିମ ମହିଳାଙ୍କ ବିରୋଧରେ ଖରାପ କମେଣ୍ଟ ସହିତ ଆକ୍ରୋଶଭରା କମେଣ୍ଟ ମଧ୍ୟ କରାଯାଉଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ