ମୁମ୍ବାଇ: ଆହୁରି 14 ଦିନ ନ୍ୟାୟିକ ହେପାଜତରେ ରହିବେ ପାତ୍ରଚାଲ ଲ୍ୟାଣ୍ଡ ସ୍କାମ (Patra Chawl land scam) ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ(Sanjay Raut) । ଆଜି ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ନ୍ୟାୟିକ ହେପାଜତ ଅବଧିକୁ 14 ଦିନ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୨୨ରେ ବିଚାର ବିଭାଗୀୟ ଜେଲ ଅବଧିକୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ କୋର୍ଟ । ଏହି ଅବଧି ଆଜି ଶେଷ ହେବାକୁ ଥିବା ବେଳେ ଆଜି କୋର୍ଟରେ ପୁଣି ଶୁଣାଣି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ମୁଣ୍ଡରେ ଆଘାତ ଲାଗିବାରୁ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ
ଆଜି ବମ୍ବେ ସେସନ କୋର୍ଟ ଅଧୀନ ସ୍ବତନ୍ତ୍ର PMLA କୋର୍ଟରେ ବିଚାରପତି ଏମ.ଜି ଦେଶପାଣ୍ଡେଙ୍କ ନିକଟରେ ହାଜର ହୋଇଥିଲେ ସଞ୍ଜୟ ରାଉତ । ଏହାପରେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଆଜି ଆଉ 14 ଦିନ ବୃଦ୍ଧି କରିଛନ୍ତି । ବହୁଚର୍ଚ୍ଚିତ ପାତ୍ର ଚାଲ ଲ୍ୟାଣ୍ଡ ସ୍କାମ ମାମଲାରେ ଏକାଧିକ ଥର ଜେରା ପରେ ଅଗଷ୍ଟ 1 ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ପରେ ପ୍ରଥମ ପର୍ଯ୍ୟାୟରେ ଅଧିକ ଜେରା ପାଇଁ ତାଙ୍କୁ ପ୍ରଥମେ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପଠାଯାଇଥିଲା । ପରେ ତାଙ୍କୁ ଅଗଷ୍ଟ ୯ରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅଗଷ୍ଟ 22ରେ ଏହା ଶେଷ ହୋଇଥିବା ବେଳେ ପୁଣି ଏହି ଅବଧିକୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ କୋର୍ଟ । ଆଜି ଦ୍ବିତୀୟ ପର୍ଯ୍ୟାୟ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ ପୁଣି 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ସଞ୍ଜୟ ରାଉତଙ୍କୁ ପଠାଇଛନ୍ତି କୋର୍ଟ ।