ନୂଆଦିଲ୍ଲୀ: ଦୁଇଦିନ ତଳେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଥିଲା । ଗୋଆ-ଦିଲ୍ଲୀ ଇଣ୍ଡିଗୋ ବିମାନ କୁହୁଡି କାରଣରୁ ଡାଇଭର୍ଟ ହୋଇ ମୁମ୍ବାଇରେ ଅବତରଣ କରିଥିଲା ବେଳେ ମାତ୍ରାଧିକ ବିଳମ୍ବ କାରଣରୁ ଯାତ୍ରୀମାନେ ବିମାନରୁ ଓହ୍ଲାଇ ପାର୍କିଂରେ ବସିବା ଓ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଏବେ ବେସାମରିକ ଉଡାଣ ସୁରକ୍ଷା ବ୍ୟୁରୋ (BCAS) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏପରି ଅଭାବନୀୟ ଘଟଣା ପାଇଁ ନିୟାମକ ସଂସ୍ଥା ଉଭୟ ‘ଇଣ୍ଡିଗୋ’ ଏୟାରଲାଇନ୍ସ ଓ ମୁମ୍ବାଇ ବିମାନ ବନ୍ଦର ଲିମିଟେଡ (MIAL)କୁ ଉତ୍ତରଦାୟୀ କରିଛି । ଇଣ୍ଡିଗୋ ଏବେ 1 କୋଟି 20 ଲକ୍ଷ ଟଙ୍କାର ଜରିମାନା ଗଣିବାକୁ ଯାଉଥିବା ବେଳେ ପରିଚାଳନାଗତ ତ୍ରୁଟି କାରଣରୁ ମୁମ୍ବାଇ ବିମାନ ବନ୍ଦର ମଧ୍ୟ 60 ଲକ୍ଷ ଟଙ୍କାର ଫାଇନ ପଇଠ କରିବା ନେଇ ଉଡାଣ ସୁରକ୍ଷା ବ୍ୟୁରୋ ନିର୍ଦ୍ଦେଶ ଦେଇଛି ।
ଏହା ବ୍ୟତୀତ ବିମାନ ଚଳାଚଳ ନିୟାମକ ସଂସ୍ଥା (ଡିଜିସିଏ) ଆଜି ଅନ୍ୟତମ ଦୁଇ ପ୍ରମୁଖ ଏୟାରଲାଇନ୍ସ ‘ଏୟାର ଇଣ୍ଡିଆ’ ଏବଂ ‘ସ୍ପାଇସଜେଟ’କୁ ମଧ୍ୟ 30 ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ନିର୍ଦ୍ଦେଶ ଦେଇଛି । ବର୍ଷ 2023 ରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ବିମାନ ବିଳମ୍ବ / ବାତିଲ / ଡାଇଭର୍ସନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ କରିବା ଉଭୟ ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟ୍ ଏପରି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାରେ ପ୍ରୟାସରେ ଅବହେଳା କରିଥିବା ଜଣାପଡିଛି । ସେହି ଆଧାରରେ ଏହି ଫାଇନ ଲାଗୁ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ରବିବାର କୁହୁଡି ସମସ୍ୟା କାରଣରୁ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ମୁମ୍ବାଇରେ ଜରୁରୀ ଅବତରଣ କରିଥିଲା । ବିମାନ ଅବତରଣ କରିବା ପରେ ପରବର୍ତ୍ତୀ ଉଡାଣରେ ମାତ୍ରାଧିକ ବିଳମ୍ବ ହୋଇଥିଲା । ଏପରି ସ୍ଥିତିରେ ବିମାନରେ ଥିବା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ଇଣ୍ଡିଗୋ ପକ୍ଷରୁ ପ୍ରଦାନ କରାଯାଇନଥିଲା । ମାତ୍ରାଧିକ ଘଣ୍ଟା ଅପେକ୍ଷା କରିବା ପରେ ଯାତ୍ରୀମାନେ ବାଧ୍ୟ ହୋଇ ବିମାନରୁ ତଳକୁ ଓହ୍ଲାଇଥିଲେ । ସେମାନେ ପାର୍କିଂ ଏରିଆରେ ବିମାନ ତଳେ ଘଣ୍ଟା ଘଣ୍ଟା ଧରି ବସିରହିଥିଲେ । ସେଠାରେ ସେମାନେ ବ୍ୟାଗରୁ ଖାଦ୍ୟ ବାହାର କରି ଖାଇବାକୁ ମଧ୍ୟ ବାଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ବିମାନ କମ୍ପାନୀ ସେମାନଙ୍କ ପାଇଁ କୌଣସି ରହଣି କିମ୍ବା ଅନ୍ୟ ବ୍ୟବସ୍ଥା ମଧ୍ୟ କରିନଥିଲେ । ସେହିପରି ବହୁମାତ୍ରାରେ ଯାତ୍ରୀ ରନ-ଓ୍ବେ ଓ ପାର୍କିଂ ନିକଟରେ ଅଣାୟତ ଅବସ୍ଥାରେ ଥିବା ସତ୍ତ୍ବେ ମଧ୍ୟ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସୁରକ୍ଷା ଦିଗକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।
ତେବେ ଏହି ସମ୍ବେଦନଶୀଳ ମାମଲାରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏସ୍) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଇଣ୍ଡିଗୋ ଉପରେ 1.20 କୋଟି ଟଙ୍କା ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବିମାନ ବନ୍ଦର କର୍ତ୍ତୃପକ୍ଷ (MIAL) ଉପରେ 60 ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି । ଏହା ବ୍ୟତୀତ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଧ୍ୟ ଏହି ଘଟଣାରେ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଉପରେ 30 ଲକ୍ଷ ଟଙ୍କା ଜୋରିମାନା ଲଗାଇଛି ।
ଏହା ମଧ୍ୟ ପଢନ୍ତୁ :- ଫ୍ଲାଇଟ ଉଡାଣ ବିଳମ୍ବ ହେବାରୁ ରାଗିଗଲେ ଯାତ୍ରୀ, ପାଇଲଟଙ୍କୁ ପିଟିଲେ
ଅନ୍ୟପଟେ ମାତ୍ରାଧିକ ଘଣ୍ଟା ବିଳମ୍ବ କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜଣେ ପାଇଲଙ୍କୁ ମଧ୍ୟ ଜଣେ ଯାତ୍ରୀ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ଏୟାରଲାଇନ୍ସଗୁଡିକ ପାଇଁ ଡିଜିସିଏ ଗାଇଡଲାଇନ ମଧ୍ୟ ଜାରି କରିଥିଲା । କୁହୁଡି ସ୍ଥିତି ପାଇଁ ବିମାନ ଉଡାଣ 3 ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ମାତ୍ରାଧିକ ସମୟ ଅପେକ୍ଷା କରାଇବା ପରିବର୍ତ୍ତେ ବିମାନ ବାତିଲ କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଡିଜିସିଏ ନିର୍ଦ୍ଦେଶାବଳିରେ କହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ