ଲକ୍ଷ୍ନୌ: ଭାରତୀୟ ରାଜନୀତିରେ ଆଜି ମୁଲାୟମ ଅଧ୍ୟାୟର ଅବସାନ ଘଟିଛି । ଭେଟେରାନ ରାଜନେତା ମୁଲାୟମ ସିଂ ଯାଦବ(Mulayam Singh Yadav is no more) ୮୨ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଜି(ଅକ୍ଟୋବର ୧୦) ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । କୁହାଯାଏ ଦିଲ୍ଲୀ ଦଖଲ କରିବାକୁ ହେଲେ ଉତ୍ତର ପ୍ରଦେଶ ଦେଇ ଯିବାକୁ ହୁଏ । ଅର୍ଥାତ ଦିଲ୍ଲୀରେ କାହାର ସରକାର ରହିବ(କେନ୍ଦ୍ର ସରକାର) ଉତ୍ତର ପ୍ରଦେଶ ହିଁ ନିର୍ଣ୍ଣାୟକ ହେବ ଓ ଏହାର ପ୍ରବେଶ ଦ୍ବାର ସାଜିବ । ମୁଲାୟମ ମଧ୍ୟ ପ୍ରଧାନମନ୍ତ୍ରୀ ହେଉ ହେଉ ଅଳ୍ପକେ ରହିଯାଇଥିଲେ (Almost became Prime Minister of India)। ପ୍ରାୟ ୫ଦଶନ୍ଧୀର ଲମ୍ବା ରାଜନୈତିକ କ୍ୟାରିୟର ମଧ୍ୟରେ ସେ ଉତ୍ତର ପ୍ରଦେଶର ଅନେକ ଉତ୍ଥାନ ଓ ପତ୍ତନର ସାକ୍ଷୀ ରହିଛନ୍ତି । ଏପରିକି ରାଜ୍ୟ ରାଜନୀତି ଏକ ସମୟରେ ତାଙ୍କୁ ହିଁ ବୁଝାଉଥିଲା ।
ରାଜନୀତିର ପାଠରେ ବିଜ୍ଞଥିବା ଭେଟେରାନ ସମାଜବାଦୀ ନେତା ମୁଲାୟମ ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏପରିକି ତାଙ୍କର ପ୍ରଶଂସକ ଓ ସମର୍ଥକଙ୍କ ନିକଟରେ ସେ ନେତାଜୀ ଭାବେ ପରିଗଣିତ ହେବା ତାଙ୍କ ଲୋକପ୍ରିୟତାର ପ୍ରମାଣ ।
୧୯୩୯, ନଭେମ୍ବର ୨୨ରେ ଇତାୱା ଜିଲ୍ଲାର ଶୈଫାଇ ଗ୍ରାମରେ ଜନ୍ମ ହୋଇଥିଲେ ମୁଲାୟମ ସିଂ ଯାଦବ । ପରେ ଭାରତୀୟ ରାଜନୀତିର ଏହି ଭିଷ୍ମ ପିତାମହ ରାଜନୀତିକୁ ନିଜ ଜୀବନର ବ୍ରତ କରିବା ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ମଧ୍ୟ ବସିଥିଲେ । ସେ ମଧ୍ୟ କେନ୍ଦ୍ର ସରକାରରେ ଗୋଟିଏ ଥର ପ୍ରତିରକ୍ଷା ମନ୍ତ୍ରୀ ରହିଛନ୍ତି । ୧୦ ଥର ବିଧାୟକ ଓ ୭ଥର ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି । ତେବେ ତାଙ୍କର ରାଜନୈତିକ କ୍ୟାରିୟର ଯେତିକ ସଫଳ, ସେହିପରିମାଣରେ ବିବାଦୀୟ ମଧ୍ୟ ।
ତାଙ୍କର ମଧ୍ୟ ଏପରି ଏକ କାହାଣୀ ରହିଛି, ଯିଏକି ପ୍ରାୟତଃ ଭାରତର ପ୍ରଧାନମନ୍ତ୍ରୀ ବନିଯାଇଥିଲେ ।
କ'ଣ ଥିଲା ସେ ଘଟଣା ?
ବର୍ଷ ୧୯୯୬, ଯେତେବେଳେ ମିଳିତ ମେଣ୍ଟ(United Front) ସରକାର ଗଠନ କରିବାକୁ ଯାଉଥିଲା, ମେଣ୍ଟ ସରକାରର ନେତୃତ୍ବ ନେବାକୁ ମୁଲାୟମଙ୍କ ନାଁ ଉଠିଥିଲା । ମାତ୍ର ଏହି ପ୍ରସ୍ତାବକୁ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନ୍ୟ ନେତାମାନେ ବିରୋଧ କରିଥିଲେ । ବର୍ଷ ୨୦୧୪ରେ ମଧ୍ୟ ମୁଲାୟମଙ୍କ ପାଇଁ ଆଉ ଏକ ସୁଯୋଗ ରହିଥିଲା କିନ୍ତୁ ନିର୍ବାଚନ ଫଳାଫଳ ସବୁଦିନ ପାଇଁ ଏହି ସମ୍ଭାବନାକୁ ଧୁଳିସାତ୍ କରିଦେଇଥିଲା । ଏହାପରେ ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳିଥିଲା, ଯେ ସମାଜବାଦୀ ମୁଖିଆଙ୍କର ଏକ ଅବଶୋଷ ଥିଲା ଯେ, ସେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟର ତିନିଥର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ ।
ବର୍ଷ ୧୯୬୭ରେ ମାତ୍ର ୨୮ ବର୍ଷ ବୟସରେ ସେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହିଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୪ ଅକ୍ଟୋବର, ୧୯୯୨ରେ ସେ ସମାଜବାଦୀ ପାର୍ଟି ପ୍ରତିଷ୍ଠା କରନ୍ତି ଓ ଏହାକୁ ଉତ୍ତରପ୍ରଦେଶର ଏକ ଆଞ୍ଚଳିକ ପାର୍ଟି ଭାବେ ସଫଳ କରାନ୍ତି । ତାଙ୍କର ପୁଅ ଅଖିଳେଶ ଯାଦବ ପରେ ପାର୍ଟିର ଉତ୍ତରାଧିକାରୀ ହୁଅନ୍ତି ଓ ଏବେ ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।
୧୯୭୦ରେ ଜୟପ୍ରକାଶ ନାରାୟଣ(JP) ଆନ୍ଦୋଳନ ପରେ ଉଭୟ ଲାଲୁ ଓ ମୁଲାୟମ ଭାରତୀୟ ରାଜନୀତିରେ ଦୁଇ ଦକ୍ଷ ଓ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଥିଲେ ଓ ପରେ ସମାଜବାଦୀ ନେତା ଭାବେ ସେମାନଙ୍କର କ୍ୟାରିୟର ଗଢିଥିଲେ । ବର୍ଷ ୧୯୭୫ରେ ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାର ଏମର୍ଜେନ୍ସି(Emergency) ଲଗାଇଥିଲେ, ମୁଲାୟମ ସିଂ ମଧ୍ୟ ଗିରଫ ହୋଇଥିବା ନେତାଙ୍କ ମଧ୍ୟରେ ରହିଥିଲେ ଓ ୧୯ ମାସ କାରାଗାରରେ କଟିଥିଲା । ଜରୁରୀକାଳିନ ସ୍ଥିତି ପାଇଁ ସେ କଂଗ୍ରେସକୁ ବିରୋଧ କରିଥିଲେ, ମାତ୍ର ୨୦୦୮ରେ ଭାରତ-ଆମେରିକା ନ୍ୟୁକ୍ଳିୟର ଡିଲ୍ବେଳେ କଂଗ୍ରେସକୁ ସମର୍ଥନ କରିଥିଲେ ।
ମୁଲାୟମ ସିଂ ଏପରି ଜଣେ ନେତା ଥିଲେ ଯିଏକି ସର୍ବଦା ତୃଣମୂଳ ସ୍ତରର କର୍ମୀଙ୍କ ଅତି ନିକଟତର ଥିଲେ । ଏଥିସହ ସେ ଥିଲେ ରାଜନୀତିର ଅସଲ ଚାଣକ୍ୟ । ସଠିକ୍ ସମୟରେ ସଠିକ୍ ରାଜନୈତିକ ଗୋଟିଚାଳନାରେ ସେ ଥିଲେ ମାହିର । ତାଙ୍କର କ୍ୟାରିୟରରେ ସେ ଅନେକବାର ପ୍ରତିଶୃତି ପାଳନ କରିବା ଓ ବିକାଶପଥରେ ଅସମ୍ଭବ ପ୍ରତୀତ ହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଇବାର ନଜିର ରହିଛି । ରାଜନୀତିରେ ନିଜ ପାଇଁ ଓ ଦଳ ପାଇଁ ପାଗ ସର୍ବଦା ଅନୁକୂଳ ରଖିବାକୁ ସେ ପ୍ରତିଦ୍ବନ୍ଦ୍ବୀଙ୍କୁ ସହଯୋଗୀ ବନାଇବାକୁ ପଛାଉନଥିଲେ କିମ୍ବା ବିବାଦ ହେଲେ ସହଯୋଗୀଙ୍କ ହାତ ଛାଡିବାକୁ କୁଣ୍ଠିତ ହେଉନଥିଲେ ।
ଭିପି ସିଂହଙ୍କ ବିରୋଧରେ ଚନ୍ଦ୍ର ଶେଖରଙ୍କ ସହିତ ସେ ସମକାଳୀନ ନେତା ଭାବେ ନିର୍ବାଚନ ଲଢିଥିଲେ । ପରେ କିନ୍ତୁ ସମସ୍ତଙ୍କୁ ଚକିତ କରି ଚିର ପ୍ରତିନ୍ଦ୍ବନ୍ଦ୍ବୀ ବହୁଜନ ସମାଜବାଦୀ ପାର୍ଟି(BSP) ସହ ମେଣ୍ଟ କରିଥିଲେ । କିନ୍ତୁ ଏହି ମେଣ୍ଟ ବେଶୀଦିନ ତିଷ୍ଠି ପାରିନଥିଲା । ସମସ୍ତଙ୍କୁ ପୁଣିଥରେ ଚକମା ଦେଇ ହାତୀ ଠାରୁ ସାଇକେଲକୁ ବ୍ରେକ୍-ଅପ୍ କରାଇଥିଲେ ମୁଲାୟମ । ବହୁଚର୍ଚ୍ଚିତ ବିବାଦୀୟ ''ଗେଣ୍ଟହାଉସ ଘଟଣା'' ପାଇଁ ସପା-ବିଏସପି ମେଣ୍ଟରେ ଫାଟ ଓ ପରେ ଭାଙ୍ଗି ଯାଇଥିଲା ।
କ'ଣ ଥିଲା ଗେଷ୍ଟହାଉସ ଘଟଣା...
ବର୍ଷ ୧୯୯୫ ଜୁନ ୨ରେ ଉତ୍ତର ପ୍ରଦେଶ ରାଜନୀତିରେ ଯାହା ହୋଇଥିବା ତାହା ପୂର୍ବରୁ କେବେ ହୋଇନଥିଲା । ୧୯୯୩ରେ ବିଜେପିକୁ ସତ୍ତାରୁ ବାହାର କରିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ ଓ ବିଏସପି ମୁଖ୍ୟ କାଂଶିରାମ ମେଣ୍ଟ କରିଥିଲେ । ଏହି ସମୟରେ ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶର ଅଂଶ ଥିଲା । ମୋଟ ଆସନ ସଂଖ୍ୟା ୪୨୨ ଥିଲା । ମୁଲାୟମ ୨୫୬ ସିଟ୍ରେ ଲଢିଥିଲେ ଓ ବିଏସପିକୁ ୧୬୪ ସିଟ୍ ଦେଇଥିଲେ । ନିର୍ବାଚନ ପରେ ଏସପି-ବିଏସପି ମେଣ୍ଟ ବିଜୟୀ ହେଲା ଓ ଏସପିକୁ ୧୦୯ ଓ ବିଏସପିକୁ ୬୭ ସିଟ୍ ମିଳିଥିଲା । ପରେ ମୁଲାୟମ ସିଂ ଯାଦବ ବିଏସପିର ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ । ମାତ୍ର ପରେ ମତଭେଦ ଯୋଗୁଁ ୨ ଜୁନ୍ ୧୯୯୫ରେ ବହୁଜନ ସମାଜବାଦୀ ପାର୍ଟି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ଲକ୍ଷ୍ନୌରେ ମାୟାବତୀଙ୍କ ତାଙ୍କର ଜଣେ ବିଧାୟକଙ୍କ ସହ ଏକ ଗେଷ୍ଟହାଉସରେ ବୈଠକ କରୁଥିବାବେଳେ ଆକ୍ରମଣ ହୋଇଥିଲା । କୁହାଯାଏ, ସମାଜବାଦୀ ପାର୍ଟିର କିଛି ସମର୍ଥକ ମାୟାବତୀଙ୍କ ଉପରେ ଆକ୍ରମଣ କରିଥିଲେ ।
ଯେତେବେଳେ ମୁଲାୟମ ବିଜେପିର ହିନ୍ଦୁତ୍ବ ପଲିଟିକ୍ସର ଜଣେ କଡା ସମାଲୋଚକ ବନିଗଲେ, ସମୟ କ୍ରମେ ଗେରୁଆ ଦଳ ତାଙ୍କୁ ସତ୍ତାରୁ ସାଇଡ୍ କରିଥିଲା । ଉଦାହରଣ ସ୍ବରୂପ, ମୁଲାୟମ ସିଂ ଯାଦବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୦୦୨ରେ ଯେତେବେଳେ ଏପିଜେ ଅବଦୁଲ କଲାମଙ୍କୁ (APJ Abdul kalam) ବିଜେପି ଭାରତର ରାଷ୍ଟ୍ରପତି କରିବାକୁ ଚାହିଁଥିଲା, ସେତେବେଳେ ସମର୍ଥନ କରିଥିଲେ ମୁଲାୟମ । ଗତବର୍ଷ RSS ମୁଖ୍ୟ ମୋହନ ଭଗବତଙ୍କ ସହିତ ମୁଲାୟମଙ୍କ ଏକ ଫଟୋ ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଥିଲା ।
ମୁଲାୟମ ସିଂ ୮୨ ବର୍ଷ ବସୟରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଜି(ଅକ୍ଟୋବର ୧୦) ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଗତ ରବିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍ରେ(ICU) ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କର ପତ୍ନୀ ସାଧନା ଗୁପ୍ତାଙ୍କର ମଧ୍ୟ ଚଳିତ ବର୍ଷ ଜୁଲାଇରେ ଦେହାନ୍ତ ହୋଇଥିଲା । ସାଧନା ଗୁପ୍ତା ଥିଲେ ମୁଲାୟମଙ୍କ ଦ୍ବିତୀୟ ପତ୍ନୀ । ତାଙ୍କର ପତ୍ନୀ ମାଲତୀ ଦେବୀଙ୍କର ୨୦୦୩ରେ ମୃତ୍ୟୁ ହୋଇଥିଲା । ମାଲତୀ ଦେବୀ ହେଉଛନ୍ତି ଅଖିଳେଶଙ୍କ ମାଆ ।