ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ସାଗର ଜିଲ୍ଲା ମୋତିନଗର ଥାନା ପୋଲିସକୁ ବଡ ସଫଳତା । ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କ ପର୍ଦାଫାସ କରିବା ସହ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଛତିଶଗଡ ଓ ଓଡିଶାର ହୋଇଥିବା ଜଣାପଡିଛି ।
ଏମାନେ ସମସ୍ତେ ଭୋପାଳର ସାଗରକୁ ଗଞ୍ଜେଇ ବ୍ୟବସାୟ ପାଇଁ 2ଟି କାରରେ ଗଞ୍ଜେଇ ନେଇ ଆସୁଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢେ 7 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରଖିଥିବାବେଳେ ଏହି ଚେର କେତେ ଦୂର ଲମ୍ବିଛି । ଏହି ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ନେଟୱାର୍କ ବାବଦରେ ଅଧିକ ତଦନ୍ତ କରାଯାଉଛି ।
ସୂଚନା ଅନୁସାରେ, ସାଗରର ମୋତିନଗର ପୋଲିସ ଷ୍ଟେସନକୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ଦିଆଯାଇଥିଲା । ସୂଚନାଦାତାଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ମୋତିନଗର ପୋଲିସ ଭୋପାଳ-ଜାନସୀ ବାଇପାସରେ ଯାଞ୍ଚ ଆରମ୍ଭ କରିଥିଲା। ଏହାପରେ ଯାଞ୍ଚ ବେଳେ ଦୁଇଟି ସ୍କର୍ପିଓ ଉପରେ ସନ୍ଦେହ ହେବାରୁ ଛାନଭିନ କରିଥିଲା ପୋଲିସ । ଯେଉଁଥିରୁ 4ଟି ଗଞ୍ଜେଇ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଜବତ କରିଥିଲା ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ