ଭୋପାଳ: ମଧ୍ୟ ପ୍ରଦେଶର ଅଗର ମାଲୱା ସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ପିଲାମାନଙ୍କ ମଥାରେ ତିଲକ ଲଗାଯିବାକୁ ବାରଣ ପରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍କୁଲର କିଛି ଛାତ୍ରଛାତ୍ରୀ ମଥାରେ ତିଲକ ଲଗାଇ ବିଦ୍ୟାଳୟରେ ପହଞ୍ଚିବା ପରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ସେମାନଙ୍କୁ ବାରଣ କରିଥିବା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କୁ ଶ୍ରେଣୀକକ୍ଷକୁ ଛଡା ନଯିବା ସହ ସେମାନଙ୍କୁ ବାଧ୍ୟତାମୂଳକ ମୁହଁ ଧୋଇବାକୁ କୁହାଯିବା ପରେ ଏହାକୁ ସ୍ଥାନୀୟ ହିନ୍ଦୁ ସଂଗଠନ ବିରୋଧ କରିଛନ୍ତି । ସମ୍ପୃକ୍ତ ଘରୋଇ ସ୍କୁଲ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କର ମାଲିକାନାରେ ଥିବା ମଧ୍ୟ ଅଭିଯୋଗ ହୋଇଛି । ପିଲାମାନଙ୍କୁ ବାରଣ କରାଯିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଅଗର ମାଲୱା ସୋୟାତ ପୋଲିସ ଷ୍ଟେସନ ଅନଧୀନ ଡୋଙ୍ଗରଗାଓଁରେ ଥିବା ଜୟ କିସାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ଘଟଣା ସାମ୍ନାକୁ ଆସିଛି । 9 ରୁ 12 ଶ୍ରେଣୀର ଛାତ୍ରମାନେ ବିଦ୍ୟାଳୟରେ ପ୍ରାର୍ଥନା ପାଇଁ ଠିଆ ହୋଇଥିଲେ । ଏହି ସମୟରେ ମୁଣ୍ଡରେ ତିଲକ ଲଗାଇ ଆସିଥିବା ପିଲାମାନଙ୍କୁ ଶ୍ରେଣୀକୁ ପ୍ରବେଶ କରିବାକୁ ବାରଣ କରିଥିଲେ ସ୍କୁଲର ଶିକ୍ଷକ । ଶିକ୍ଷକମାନେ ପିଲାମାନଙ୍କୁ ପ୍ରଥମେ ମୁହଁ ଧୋଇବାକୁ କହିଥିଲେ ଏବଂ ତିଲକ ସହ ଶ୍ରେଣୀକକ୍ଷରେ ପ୍ରବେଶ କରିପାରିବେ ନାହିଁ ବୋଲି କହିଥିଲେ । ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ହିନ୍ଦୁ ସଂଗଠନ ସ୍କୁଲ ନିକଟରେ ଏକାଠି ହେବା ସହ ନାରାବାଜି କରିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ ।
ଏହା ମଧ୍ୟ ପଢନ୍ତୁ:-ବଢୁଛି ଆଖିଧରା ରୋଗ, ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ
ଏହି ଉତ୍ତେଜନା ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ମଧ୍ୟ ସ୍କୁଲ ପରିସରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା । ପରେ ପୋଲିସ ଉପସ୍ଥିତିରେ କୌଣସି ଛାତ୍ରଛାତ୍ରୀଙ୍କୁ ତିଲକ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି ଲିଖିତ ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ସ୍ଥିତି ଶାନ୍ତ ପଡିଥିଲା । ତେବେ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଭାବକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି । କେଉଁ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବାରଣ କରାଗଲା କାର ତଦନ୍ତ କରିବା ପାଇଁ ସେମାନେ ଦାବି ମଧ୍ୟ କରିଛନ୍ତି । ଅନ୍ୟପଟେ ସମ୍ପୃକ୍ତ ସ୍କୁଲ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କର ହୋଇଥିବା ଅଭିଯୋଗ ସମ୍ପର୍କରେ ପୋଲିସ କିମ୍ବା ପ୍ରଶାସନ କିଛି ସ୍ପଷ୍ଟ କରିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ