ବେଙ୍ଗାଲୁରୁ: ୨୧ ବର୍ଷର ପୁଅକୁ ହତ୍ୟା କଲା ମାଆ । କର୍ଣ୍ଣାଟକ ବେଲାଗଭି ଜିଲ୍ଲା ରାୟଭଗା ଟାଉନରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ମାଆର ଅନୈତିକ ସମ୍ପର୍କ ସମ୍ବନ୍ଧରେ ପିତା ଓ ସମ୍ପର୍କୀୟଙ୍କୁ ଜଣାଇବା ପରେ ଏଥିରେ ଉତକ୍ଷିପ୍ତ ହୋଇ ମାଆ ନିଜ ପୁଅକୁ ହତ୍ୟା କରିଛି ବୋଲି ଜଣାପଡ଼ିଛି । ଅଭିଯୁକ୍ତ ମହିଳା ତଣ୍ଟି ଚିପି ନିଜର ପୁଅକୁ ହତ୍ୟା କରିଥିବା ବେଳେ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏନେଇ ବେଲାଗଭି ଏସପି ସଞ୍ଜୀବ ପାଟିଲ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗତ ମେ ମାସ ୨୮ ତାରିଖରେ ହରିପ୍ରସାଦର ମୃତ୍ୟୁ ଘଟିଥିଲା । ହରିପ୍ରସାଦ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା ବୋଲି ଅଭିଯୁକ୍ତ ମହିଳା ତଥା ହରିପ୍ରସାଦର ମାଆ ସୁଧା ଭୋସଲେ କହିଥିଲେ । ପ୍ରଥମେ ଏହାକୁ ସ୍ବାଭାବିକ ମୃତ୍ୟୁ ବୋଲି ସମସ୍ତେ ଧରି ନେଇଥିଲେ । ପରବର୍ତ୍ତୀ ସମୟରେ ସମ୍ପର୍କୀୟଙ୍କ ସନ୍ଦେହ ହେବା ଫଳରେ ସେମାନେ ଏ ନେଉଇ ରାୟବଘା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପ୍ରକ୍ରିୟା ସମୟରେ ମାଆ ହରିପ୍ରସାଦର ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଛି ।
ଏହା ବି ପଢନ୍ତୁ- Vigilance Raid: ପଡ଼ିଶା ଘରେ ଟଙ୍କା ପେଟି ଲୁଚାଇଥିଲେ ଉପଜିଲ୍ଲାପାଳ, ୨ କୋଟି ଠାବ
ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମହିଳା ସୁଧା ଭୋସଲେ ସ୍ବାମୀଙ୍କ ସହିତ ତିକ୍ତତା ପରେ ପୁଅ ସହ ଅଲଗା ରହୁଥିଲେ । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା । ଏନେଇ ଜାଣିଥିଲା ମୃତ ଯୁବକ ବା ପୁଅ ହରିପ୍ରସାଦ । ନିଜ ପିତା ଓ ସମ୍ପର୍କୀୟଙ୍କୁ ମାଆର ଏହି ବ୍ୟକ୍ତିଗତ ସୂଚନା ଦେଉଥିଲା ପୁଅ ହରିପ୍ରସାଦ । ଏ ନେଇ ମାଆ-ପୁଅଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ମଧ୍ୟ ହୋଇଥିଲା । ହେଲେ ହରିପ୍ରସାଦ ମାଆର ଧମକ ଡରି ନଯାଇ ନିଜ ପିତାଙ୍କୁ ଟିକନିକ ଖବର ଦେଉଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମାଆ ସୁଧା ଭୋଶଲେ ପୁଅକୁ ହତ୍ୟା କରିଥିଲେ । ସୁଧାଙ୍କୁ ଏହି କାର୍ଯ୍ୟରେ ୩ଜଣ ସହଯୋଗ ମଧ୍ୟ କରିଥିଲେ ।
ସୁଧା ନିଜ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି । ହରିପ୍ରସାଦର ବେକରେ କିଛି ଦାଗ ମଧ୍ୟ ପାଇଛି ପୋଲିସ । ତଦନ୍ତ ବେଳେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସୁଧାଙ୍କ ସହିତ ଅନ୍ୟ ୩ଜଣଙ୍କୁ ଗିରଫ କରିଛି । ମୋଟ ୭ ଜଣ ଘଟଣାରେ ଅଭିଯୁକ୍ତ ଥିବା ବେଳେ ପୋଲିସ ଏଯାବତ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି । ଅନ୍ୟ ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସଞ୍ଜୀବ ପାଟିଲ ସୂଚନା ଦେଇଛନ୍ତି ।